ଭୁବନ,୨୭/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୪ ନମ୍ବର ୱାର୍ଡ ରଗଡି ଛକ ଠାରେ ବହୁ ପ୍ରତିକ୍ଷିତ ପରିବା ବଜାର ଶୁଭାରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ କୃଷକ ସମାଜ ତରଫରୁ ଆଜି ସୋମବାର ପରିବା ବଜାର କାର୍ଯ୍ୟକ୍ଷମ ହୋଇଛି । ୧୯୭୨ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନ ଏନ୍ ଏ ସି ରେ ଦୀର୍ଘ ୫୦ ବର୍ଷ ପରେ ସ୍ଥାୟୀ ପରିବା ବଜାର ନଥିବା ଓ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ରଗଡ଼ି ଛକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟାପ୍ତ ସରକାରୀ ଜମିକୁ ନିୟନ୍ତ୍ରଣ କୁ ଆଣି ବାଲି ଫିଲିଂ, ସାଇଡ ୱାଲ, ପେଭର ବିଛାଇ ପ୍ରଥମେ ୨୭ ଟି କ୍ୟାବିନ ପକାଇ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିଥିଲେ । ପରିବା ବଜାର ପାଇଁ ପ୍ରାଥମିକ କାର୍ଯ୍ୟ ଶେଷ ହେବା ପରେ ଚାଷୀ ମାନଙ୍କ ପାଇଁ ୩ ଟି ପିଣ୍ଡି ନିର୍ମାଣ କରିଥିଲେ ।
ଏହା ବାଦ ଗ୍ରାହକ ଙ୍କ ସୁବିଧା ପାଇଁ ଏକ ଆମିନିଟି ସେଣ୍ଟର ଏବଂ ୩୦୦ କ୍ଷମତା ବିଶିଷ୍ଟ ବହୁମୁଖି କୋଠାଘର ( ମଲ୍ଟି ପର୍ପୋଜ ହଲ ) ନିର୍ମାଣ କରିଥିଲେ । ପ୍ରାୟ ବର୍ଷକ ପୂର୍ବେ ଏହି ପରିବା ବଜାର ନିର୍ମାଣ ସମ୍ପୂର୍ଣ ହୋଇଥିବା ବେଳେ ସରକାର ପରିବର୍ତ୍ତନ ଯୋଗୁ ଉଦଘାଟନ ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ଏହାକୁ ଚାଲୁ କରିବାକୁ ନରଗପାଳ ଆପ୍ରାଣ ଉଦ୍ୟମ କରିଥିବା ବେଳେ ରାଜନୈତିକ ଛକାପଞ୍ଝା ଯୋଗୁ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା । ଗତ ମାସରେ ସରକାରଙ୍କ ଦ୍ଵାରା ନଗରପାଳ ଗାଦିଚ୍ୟୁତ ହେବା ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏନ୍ ଏ ସି ଅଫିସ ସମ୍ମୁଖସ୍ଥ ଉଠା ଜଳସେଚନ କାର୍ଯ୍ୟାଳୟ ପରିସରରେ ପରିବା ବଜାର କରିବା ପାଇଁ ବାଲି,ମୋରମ ପକାଇ ବିଶ୍ଵକର୍ମା ପୂଜା ଦିନ ବିଧାୟକ ଶତ୍ରୁଘ୍ନ ଜେନା ଏହାକୁ ଉଦଘାଟନ କରିଥିଲେ ।
ଫଳରେ ଦୀର୍ଘଦିନ ହେଲା ଭି ଆଇ ପି ଏରିଆ ( ଡାକବଙ୍ଗଳା ସମ୍ମୁଖ )ରୁ ଏନ୍ ଏ ସି ଅଫିସ ନିକଟକୁ ପରିବା ମାର୍କେଟ ସ୍ଥାନାନ୍ତର ହୋଇଥିଲା । ସେଠାରେ କୌଣସି ଭିତ୍ତିଭୂମି ନଥିବା ଅଭିଯୋଗ କରି ମାତ୍ର ୫ ଦିନ ପରେ ଚାଷୀ ମାନେ ବ୍ୟବସାୟ ବନ୍ଦ କରି ପୁନର୍ବାର ଭି ଆଇ ପି ଏରିଆ କୁ ଫେରି ଆସିଥିଲେ । ପିଣ୍ଡି ସ୍ଥାପନ ପରେ ୨୮ ତାରିଖରେ ପୁନର୍ବାର ଉଠା ଜଳସେଚନ ଅଫିସ କୁ ପରିବା ମାର୍କେଟ ସ୍ଥାନାନ୍ତର ହେବ ବୋଲି ନିଷ୍ପତି ନିଆଯାଇଥିଲା। ଅପରପକ୍ଷେ ୨୭ ତାରିଖ ଦିନ ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଶୁଭାରମ୍ଭ ବୋଲି ବ୍ୟାନର ଲଗାଯାଇଥିଲା ।
ଆଜି ସୋମବାର ସକାଳେ କୃଷକ ସମାଜ ତରଫରୁ ଗ୍ରାମାଞ୍ଚଳ ରୁ ଆସୁଥିବା ଚାଷୀଙ୍କୁ ସ୍ଵାଗତ ଜଣାଇ ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଶୁଭାରମ୍ଭ କରାଯାଇଥିଲା । ଏହାକୁ ନେଇ ଜନସାଧାରଣରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ କେତେକ ଚାଷୀଙ୍କୁ ପୋଲିସ କର୍ମଚାରୀ ମାନେ ଘଉଡାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କାମାକ୍ଷାନଗର ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ରେ ପରିବା ହାଟ କୁ ନେଇ ଅଭିଯୋଗ ହେବା ପରେ ଭୁବନ ପାଇଁ ଗୋଟିଏ ନୁହେଁ ଏକାଧିକ ପରିବା ବଜାର ର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ସ୍ବୀକାର କରିଛନ୍ତି । ସୂଚନା ଅନୁଯାୟୀ ଆସନ୍ତା କାଲି ଉଭୟ ରଗଡ଼ି ଛକ ଓ ଉଠା ଜଳସେଚନ କାର୍ଯ୍ୟାଳୟ ପରିସରରେ ପରିବା ବଜାର ହେବ ବୋଲି ଜଣାପଡିଛି ।
