କେନ୍ଦ୍ରାପଡ଼ା,୧୧/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ରବିବାର ଅର୍ଥ ନଥିବାରୁ ଗ୍ରାହକମାନେ ଟଙ୍କା ଉଠାଇବାକୁ ଯାଇ ହତାଶ ହୋଇ ଫେରିଥିବା ଦେଖାଯାଇଛି । ଏବେ ବାହାଘର ପାଇଁ ଲୋକମାନେ ବିଭିନ୍ନ ଜିନିଷପତ୍ର କିଣାକିଣି କରିବାକୁ କନ୍ଦ୍ରୋପଡା ସହରକୁ ଆସିଥିବା ବେଳେ ଷ୍ଟେଟବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଉଠାଇବାକୁ ଲମ୍ବା ଲାଇନ ଲଗାଇଥିଲେ ।
କିନ୍ତୁ ଏଟିଏମ ଗୁଡିକରେ ଅର୍ଥ ନଥିବାରୁ ସେମାନେ ଟଙ୍କା ଉଠାଇ ନପାରି ହତାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଶନିବାର ଓ ରବିବାର ଦୁଇଦିନ ଧରି ବ୍ୟାଙ୍କ ଛୁଟି ଯୋଗୁଁ ବନ୍ଦ ରହିଛି । ଫଳରେ ଏଟିଏମ ଗୁଡିକରେ ଆବଶ୍ୟକ ପରିମାଣର ଅର୍ଥ ଭରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ ।
ଖଡିଅଙ୍ଗସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ପରିସର, ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ମୀରପାଟଣା, କାକଟ ପ୍ରଭୃତି ଠାରେ ଥିବା ଏଟିଏମ ଗୁଡିକରେ ଅର୍ଥ ନଥିବାରୁ ଲୋକମାନେ ସେହିସବୁ ଏଟିମ ଗୁଡିକରୁ ଟଙ୍କା ଉଠାଇ ପାରିନଥିଲେ । ଏନେଇ ବହୁ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖାଯାଇଥିଲା । ଏସମ୍ପର୍କରେ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନଥିଲା ।
