ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଙ୍କ ବୈଠକ
ଭୁବନେଶ୍ୱର, ୨୪/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁସାରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା କୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଆଜି ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବାତ୍ୟା ଫଳରେ ଲଘୁଚାପ ଜନିତ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାର ସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ଜଳଭଣ୍ଡାରରେ ଜଳପତ୍ତନ ପରିମାଣ କେତେ ବୃଦ୍ଧି ଘଟୁଛି, ଏହାର ବାସ୍ତବତାକୁ ଦେଖି, ସଠିକ ଆକଳନ କରି ଯୋଜନା ଓ ସୁନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ତଥା ଜଳ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ସ୍ଥିତିରେ ସମସ୍ତ ନଦୀରେ ଜଳସ୍ତର କମ ରହିଛି। ତେଣୁ ସଂପ୍ରତି ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ତେବେ ସ୍ଥିତିକୁ ଦେଖି ବିଭାଗ ତଥା କ୍ଷେତ୍ର ସ୍ତରରେ ଥିବା ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
-0-
ପଠାଣିରାଉତ,ଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ
