କେନ୍ଦ୍ରାପଡ଼ା,୧୯/୧୦/୨୦୨୫(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତିକ ପଂଚୁକ ବ୍ରତ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ମାସ ୩୧ତାରିଖ ଠାରୁ ନଭେମ୍ବରମାସ ୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ ।
ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତିକ ପଂଚୁକ ବ୍ରତ ପାଳନ ଅବସରରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଆଲୋଚନା ଚକ୍ର ଓ ସଂକୀର୍ତନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କିଭଳି କରାଯିବ ସେଥିନିମନ୍ତେ ଯଥାଯଥ ଭାବେ କାର୍ତିକ ପଂଚୁକ ବ୍ରତ ବିଧି ମୁତାବକ ପାଳନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା ।
ପ୍ରସ୍ତୁତି ବୈଠକରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଜିଲା ବିଜେପି ସଭାପତି ଶଶାଙ୍କଶେଖର ସେଠୀ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ,ଅଭିମନୁ୍ୟ ଗୋଛାୟତ, ଗୋଲଖ ଚନ୍ଦ୍ର ବେହେରା, ଅମୀୟ ପଣ୍ଡା, ବଳଦେବସେନାର ସଭାପତି ପପୁନ ସ୍ୱାଇଁ, ସେନାର ସମ୍ପାଦକ ଓ ଅନ୍ୟ ସଦସ୍ୟମାନେ, ଦ୍ରୌପଦୀ ରାଉତ, ରୀତାଞ୍ଜଳି ନାଥ, ପାର୍ବତୀ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏସମ୍ପର୍କରେ କର୍ମକର୍ତାମାନେ ଜିଲାପାଳଙ୍କ ସହ କଥାବାର୍ତା ହୋଇଥିବା ପ୍ରକାଶ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତୁଳସୀକ୍ଷେତ୍ରରେ ରହି କାର୍ତିକ ପଂଚୁକ ବ୍ରତ ପାଳନ କରିବାକୁ ଚାହୁଁଥିବା ମା’ମାନେ ଯଥାଶୀଘ୍ର ଗରାପୁର ଶିବାନନ୍ଦ ଆଶ୍ରମ ସହିତ ଯୋଗାଯୋଗ କରିବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି ।
