ହିତାଧିକାରୀ ଙ୍କୁଏଣିକି ପାଞ୍ଚ କେଜି ପରିବର୍ତ୍ତେ ମିଳିବ ଦଶ କେଜି ଚାଉଳ -ଯୋଗାଣ ମନ୍ତ୍ରୀ

ମାହାଙ୍ଗା, ୧୪/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)  ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ସରକାରଙ୍କ ଗରୀବ କଲ୍ୟାଣ ଯୋଜନା ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମେଳାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ  । ପଡ଼ିକାର୍ଡ ହିତାଧିକାରୀ ମାନଙ୍କୁ  ଖୁବ ଶୀଘ୍ର ୫ କିଲୋ ଚାଉଳ ପରିବର୍ତ୍ତେ ମାସିକ ୧0 କିଲୋ ଚାଉଳ ମିଳିବ ବୋଲି ମନ୍ତ୍ରୀ ଆଗୁଆ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ତା’ଙ୍କ ବିଭାଗ ଏ ବାବଦରେ ଅବଗତ କରିବା ପରେ, ସରକାର ଗରୀବ ହିତାଧିକାରୀଙ୍କ ସମସ୍ୟା ଉପରେ ଚୂଡାନ୍ତ ନିଷ୍ପତି ନେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର  ସୂଚନା ଦେଇଥିଲେ ।

 ମଣ୍ଡଳ ଉନ୍ନୟନ ଅଧିକାରୀ ସୁଭାଶିଷ ପାଲଟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମାହାଙ୍ଗା ବ୍ଲକର ୩୭ ଟି ପଞ୍ଚାୟତରେ ବସବାସ କରୁଥିବା ସମସ୍ତ ଗରୀବ, ଅବହେଳିତ ଏବଂ ନିରାଶ୍ରୟ ପରିବାରକୁ ପକ୍କାଘର, ଭତ୍ତା ଏବଂ ରେସନ କାର୍ଡ ଯୋଗାଇଦେବାକୁ ନିଷ୍ପତି ନିଆଯାଇଛି ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ।

ସାମାଜିକ ସୁରକ୍ଷା ଯୋଜନାରେ ୩୭୧ ଜଣ ବିଧବା, ଭିନ୍ନକ୍ଷମ, ଅବିବାହିତ, ସ୍ୱାମୀ ପରିତ୍ୟକ୍ତା ଏବଂ ବୃଦ୍ଧ ବୃଦ୍ଧାଙ୍କୁ ବିଭିନ୍ନ ଭତ୍ତା ପ୍ରଦାନ କରାଯାଇଥିଲା । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୫୭ ଜଣ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୩୪ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୩୩୧ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଓ ବିଧାୟକ ଶ୍ରୀ ପ୍ରଧାନ ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ କେ ଚନ୍ଦ୍ରଶେଖର ସମ୍ମାନିତ ବକ୍ତା ଭାବେ ଏହି ଉତ୍ସବରେ ଯୋଗଦେଇଥିଲେ  ।

Leave a Reply

Your email address will not be published. Required fields are marked *