ଗରଦପୁର, ୧୩/୧୦/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲାପାଳ ରଘୁରାମ ଆର ଆୟାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୋଟ ୭୯ ଟି ଅଭିଯୋଗ ପଂଜିକୃତ ହୋଇ ଥିଲା । ସେଗୁଡ଼ିକ ମଧ୍ୟରୁ ୧୯ ଟି ସାମୁହିକ ଅଭିଯୋଗ ଥିବାବେଳେ ୬୦ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା ।
ଜିଲାପାଳ ଶ୍ରୀ ଆୟାର ଙ୍କ ସହିତ ମଂଚ ରେ ଏଡ଼ିଏମ ନବକିଶୋର ଜେନା,ପିଡ଼ି ଅଜାମ୍ବର ମହାନ୍ତି, ସିଡ଼ିଏମଓ ଡ଼ ମନୋରଂଜନ ରାଉତ,ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର ଡ଼େପୁଟି କଲେକ୍ଟର ତୃପ୍ତି ମହାନ୍ତି , ତହସିଲଦାର ତୃପ୍ତି ଦାସ, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଡ଼ିଓ ଆଲୋକ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ରେ ସହାୟତା କରିଥିଲେ ।
ଅଭିଯୋଗ ଗୁଡ଼ିକର ଶୁଣାଣି କରି ଜିଲାପାଳ ଶ୍ରୀ ଆୟାର ଲାଇନ୍ ଡ଼ିପାର୍ଟମେଂଟର ବିଭିନ୍ନ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ପଂଚାୟତ ସମିତି ସଭ୍ୟ ବାସୁଦେବ ବେହେରା ଅଭିଯୋଗ କରିଥିଲେ ଯେ ସମିତି ସଭ୍ୟମାନେ ୩ ମାସ ହେଲା ସେମାନଙ୍କର ଅନରାରିଅମ ପାଇ ନାହାନ୍ତି । ଗତ ଅକ୍ଟୋବର ୩ ତାରିଖରୁ ଟ୍ରେଜେରୀ ପାସ ପାଇଁ ଯାଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା ହୋଇନଥିବା ସେ ଅଭିଯୋଗ କରିଥିଲେ । ବଡ଼ବେତ୍ରା ଗ୍ରାମର ରୀନାରାଣୀ ମହାପାତ୍ର ଙ୍କ ପୁଅ ଅନ୍ୟ ଜାତିରେ ବିବାହ କରିଛନ୍ତି । ତେବେ ଗ୍ରାମବାସୀମାନେ ତାଙ୍କୁ ବିରୋଧ କରି ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦେବାକୁ ବିରୋଧ କରୁଥିବା ରୀନାରାଣୀ ଅଭିଯୋଗ କରିଥିଲେ ।
କଳାବୁଦା ଗ୍ରାମର ବିଜୟ ନାୟକ ଓ ହରିଦାସପୁର ଗ୍ରାମର ଚିତରଂଜନ ଚୌଧୁରୀ ଗରଦପୁର ତହସିଲ ରେ ସ୍ଥାୟୀ ଅମିନ ନିଯୁକ୍ତି ଦେବାକୁ ଦାବି କରିଥିଲେ । ଆବଶ୍ୟକ ଅମିନ ତହସିଲ ରେ ନଥିବାରୁ ଡ଼ିମାର୍କେସନ୍ ପାଇଁ ବର୍ଷ ବର୍ଷ ଧରି ଶତାଧିକ ଅଭିଯୋଗ ତହସିଲ ରେ ପଡ଼ି ରହୁଥିବା ରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ । ଗରଦପୁର ବ୍ଲକ୍ ରେ ସ୍ୱାବଲମ୍ବୀ କାରିଗର ଭାବରେ ବେଡ଼ାରୀ ପଂଚାୟତରେ କାର୍ଯ୍ୟ କରୁଥିବା ଶୋବନାନନ୍ଦ ଓଝା , ପ୍ରଫୁଲ ଦାସ, କମଳାକାନ୍ତ ସୁତାର ଙ୍କୁ ଗତ ୮ ମାସ ହେବ ଦରମା ମିଳିନାହିଁ । ଏହି ଅଭିଯୋଗ ପରେ ୫ ଦିନ ମଧ୍ୟରେ ଦରମା ଦେବାକୁ ବିଡ଼ିଓ ପ୍ରତିଶୃତି ଦେଇଥିଲେ ।
ଦୂରାରୋଗରେ ପିଡ଼ିତ ବଙ୍ଗାରୀ ଗ୍ରାମର ସୁଧିର ଜେନା ଓ ପଦ୍ମପୁର ଗ୍ରାମର ହେମଲତା ନାୟକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଶ୍ରୀ ଆୟାର ଘୋଷଣା କରିଥିଲେ । ଗରଦପୁର ରେ ଟ୍ରେଜେରୀ , କୋର୍ଟ ପ୍ରତିଷ୍ଠା , ବସ୍ ସେବା , ରଥ ଦାଣ୍ଡର ଉନ୍ନତିକରଣ ପାଇଁ ସାମାଜିକ କର୍ମୀ ନବାବ କୁମାର ପଣ୍ଡା ଦାବି କରିଥିଲେ । ଗରଦପୁର ଅଂଚଳରେ ମାଙ୍କନ ମାନଙ୍କର ଯଥେଷ୍ଟ ସଂଖ୍ୟା ବୃଦ୍ଧି ହୋଇ ମାଙ୍କନ ଉପଦ୍ରବରେ ଚାଷଡୀମାନଙ୍କ ଫସଲ ଉଜୁଡ଼ିବା ସହିତ ବହୁଲୋକ ଆହତ ହେଉଛନ୍ତି । ପରକଣା ଗ୍ରାମରେ ମାଙ୍କଡ଼ ଙ୍କ ଉପଦ୍ରବ ସର୍ବାଧିକ ବୃଦ୍ଧି ପାଇଛି ବୋଲି ସେହି ଗ୍ରାମର କୈଳାଶ ମିଶ୍ର ଅଭିଯୋଗ କରିଥିଲେ । ବନ ବିଭାଗ ତୁରନ୍ତ ମାଙ୍କଡ଼ ମାନଙ୍କୁ ଆୟତ କରି ଧରି ନେବାକୁ ସେ ଦାବି କରିଥିଲେ । ପାଟସୁରା ଗ୍ରାମର ନିହାର ରଂଜନ ପଟ୍ଟନାୟକ ଓ ତାଙ୍କ ପରିବାରର ୫ ଜଣ ସଦସ୍ୟ ସମସ୍ତେ ଆସି ସାମୂହିକ ଭାବରେ ଜିଲାପାଳ ଶ୍ରୀ ଆୟାରଙ୍କ ପାଖରେ ଏକ ଗୁରୁତର ଅଭିଯୋଗ କରିଥିଲେ ।
ନିହାରଙ୍କ ଘର ଆଗରେ ଥିବା ୧୪ ଡ଼ିସିମିଲ ସରକାରୀ ଗୋଚର ଜାଗାକୁ ତାଙ୍କର ଜଣେ ପଡ଼ୋସି ଲୋକ ଚଂଚକତା କରି ମାଡ଼ିବସି ତାର ବାଡ଼ କରି ଅବରୋଧ କରିଥିବାରୁ ନିହାରଙ୍କ ପରିବାର ଘରୁ ରାସ୍ତାକୁ ବାହାରି ପାରୁନାହାନ୍ତି । ଏ ବାବଦରେ ବହୁବାର ଅଭିଯୋଗ ଓ ପ୍ରଶାସନିକ ସ୍ତରରେ ଲଗାତର ଫିଲ୍ଡ ସର୍ଭେ , ଅନୁସନ୍ଧାନ, ତଦନ୍ତ ହୋଇ ଆସୁଥିଲେ ମଧ୍ୟ ଆଜି ସୁଦ୍ଧା ଏହାର ସ୍ଥାୟୀ ସମାଧାନ କରାଯାଇ ପାରିନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ରୁ ଜିଲାପାଳଙ୍କୁ ନିର୍ଦ୍ଧେଶ ଓ ଆନୁସଙ୍ଗିକ ଭାବେ ତହସିଲଦାରଙ୍କୁ ସମସ୍ୟାର ସମାଧାନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଗତ ୧ ମାସ ହେଲା ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏଥିରେ କ୍ଷୋଭ ପ୍ରକାଶ କରି ବ୍ୟଥିତ ହୋଇ ନିହାର ସପରିବାର ଜିଲାପାଳଙ୍କୁ ଗୁହାରୀ କରିବା ସହିତ ହୋ ହଲା କରିଥିଲେ । ଏହି ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଜିଲାପାଳ ଶ୍ରୀ ଆୟାର ଘଟଣାର ଗୁରତ୍ୱ ଓ ଗମ୍ଭିରତା ଅନୁଭବ କରି ନୋଟ୍ ଡ଼ାଉନ୍ କରିଥିଲେ ।
