କେନ୍ଦ୍ରାପଡାରେ ଜିଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଏବଂ ଡ଼. ବାସୁଦେବ ଦାସ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ରଖିବା ସହିତ ଗାନ୍ଧିଜୀଙ୍କ ଓଡିଶା ଆଗମନ, କେନ୍ଦ୍ରାପଡ଼ାରେ ରହଣି, ଗାନ୍ଧିଜୀଙ୍କ ଦର୍ଶନ ଓ ଆଦର୍ଶକୁ ପାଥେୟ କରିବାକୁ ପରାମର୍ଶ ଦେଇଥିଲେ ।ଏହି ମହାପୁରୁଷଙ୍କ ଜୀବନୀ ଓ ବିଚାର ନିରନ୍ତର ପ୍ରେରଣାର ଉତ୍ସ ବୋଲି କହିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଅବଗତ କରାଇ ଥିଲେ । ଜିଲାପାଳ ତାଙ୍କର ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ପାଥେୟକରି ନିଜ ନିଜ ଜୀବନ ଶୈଳୀ ତଥା ସତ୍ୟ ପଥରେ ଆଗକୁ ବଢିବାକୁ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀଙ୍କ ବିଚାର ଓ ମୂଲ୍ୟବୋଧର ଆଜିବି ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ । ଏହା ସହିତ ଅହିଂସା ପରମଧର୍ମ, ଅହିଂସା ବଳରେ ଦେଶରୁ ବ୍ରିଟିଶ ଶାସନର ମୁଳୋତ୍ପାଟ ସମ୍ଭବ ହୋଇଥିଲା ବୋଲି ବକ୍ତାମାନେ କହିଥିଲେ । ସର୍ବଧର୍ମ ପ୍ରାର୍ଥନାରେ ଧର୍ମଗୁରୁ ମାଧବ ଚରଣ ନନ୍ଦ, ମହମ୍ମଦ ଇନାୟତୁଲ୍ଲା ଏବଂ ଧ୍ରୁବ ଚରଣ ନାୟକ ଯଥାକ୍ରମେ ଗୀତା ପାଠ, କୋରାନ ଏବଂ ବାଇବେଲ ପାଠ କରିଥିଲେ ।

ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କ ସମେତ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ସଭା ପରିଚାଳନା କରିଥିଲେ । ସକାଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତିମାନଙ୍କରେ ଜିଲାପାଳଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି, ପ୍ରଦୀପ କୁମାର ମହାନ୍ତି, ରାଜେଶ ପଣ୍ଡା ଓ ଦାୟାଦ ସଂଘର ସଦସ୍ୟ ମାନେ ସାମୁହିକ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *