– କୋଇଡା–ଚଣ୍ଡିଖୋଲ ଓ ରିମୁଳି–ଚମ୍ପୁଆ ଜାତୀୟ ରାଜପଥ ନିର୍ମାଣ ନେଇ ଆଲୋଚନା
– ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ସମୀକ୍ଷା
ଭୁବନେଶ୍ୱର,୨୨/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରି କୋଇଡା–ଚଣ୍ଡିଖୋଲ ଏବଂ ରିମୁଳି–ଚମ୍ପୁଆ ଜାତୀୟ ରାଜପଥର ଉନ୍ନତି ଓ ପ୍ରଶସ୍ତୀକରଣ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।
ବୈଠକରେ ରାସ୍ତା ନିର୍ମାଣ ନେଇ ନକ୍ସା ପ୍ରସ୍ତୁତି, ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ସମେତ ସମସ୍ତ ଆବଶ୍ୟକୀୟ ସରକାରୀ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଏହି ଦୁଇଟି ଜାତୀୟ ରାଜପଥର ଉନ୍ନତି ଦ୍ୱାରା ରାଜ୍ୟର ଖଣିଜ ଅର୍ଥନୀତି, ଶିଳ୍ପ, ପର୍ଯ୍ୟଟନ ଏବଂ ଗମନାଗମନ ବ୍ୟବସ୍ଥା ଅଧିକ ସୁଦୃଢ ହେବା ସହ ଓଡ଼ିଶାର ସାମଗ୍ରିକ ବିକାଶକୁ ନୂଆ ଗତି ମିଳିବ।
ଅପରାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜଧାନୀ ଭୁବନେଶ୍ୱରର ବଢୁଥିବା ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ, ଭିଡ଼ ନିୟନ୍ତ୍ରଣ ଏବଂ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ବିଭିନ୍ନ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ଇନର ଓ ଆଉଟର ରିଙ୍ଗ ରୋଡ୍, ଜୟଦେବ ବିହାର–ନନ୍ଦନକାନନ ରାସ୍ତା, ବାମ ସମନ୍ତରାଳ ରାସ୍ତା, ପଥରଗାଡ଼ିଆ–ଦାରୁଠେଙ୍ଗ ରାସ୍ତା, ଶିଖରଚଣ୍ଡୀ–ପଥରଗାଡ଼ିଆ–ରଘୁନାଥପୁର ସଂଯୋଗୀ ରାସ୍ତା, କେଳୁଚରଣ ପାର୍କ–ପଟିଆ ରେଳ ଷ୍ଟେସନ ରାସ୍ତା, କେଳୁଚରଣ ପାର୍କ–ଫୁଲନଖରା ରୋଡ୍, କୁଆଖାଇ ନଦୀ ଉପରେ ୬ ଲେନ୍ ବିଶିଷ୍ଟ ହାଇ ଲେଭେଲ ସେତୁ, ଡି.ଏନ୍. ରେଙ୍ଗାଲିଆ–କଳିଙ୍ଗନଗର ରାସ୍ତା, ସମ୍ ହସ୍ପିଟାଲ–ସାମପୁର ରାସ୍ତା, ଖଣ୍ଡଗିରି–ପୋଖରୀପୁଟ ଇଲେଭେଟେଡ୍ କରିଡର, ଏନ୍.ଏଚ୍.–୧୬ରୁ ଏମ୍ସ ଛକ ସଂଯୋଗୀ ରାସ୍ତା, ପାୱାର ହାଉସ–ସିଆରପିଏଫ୍ ଛକ ରାସ୍ତାର ସମ୍ପୂର୍ଣ୍ଣ ସର୍ଭେ, ଦୟା ୱେଷ୍ଟ କେନାଲ ରୋଡ୍ ଏବଂ ଭୁବନେଶ୍ୱର–ପୁରୀ ରାସ୍ତାରେ ପ୍ରସ୍ତାବିତ ଇଲେଭେଟେଡ୍ କରିଡର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମସ୍ତ ପ୍ରକଳ୍ପର ସର୍ଭେ, ଡିଜାଇନ, ଆବଶ୍ୟକୀୟ ଅନୁମୋଦନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହ ଉଚ୍ଚମାନର କାର୍ଯ୍ୟ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱସ୍ତରୀୟ ସଡ଼କ ନେଟୱର୍କ ସୃଷ୍ଟି ସହ ରାଜଧାନୀର ଟ୍ରାଫିକ ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ କହିଥିଲେ।
ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ, ପୂର୍ତ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।
