ଭୁବନେଶ୍ୱର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୩ ମସିହାରେ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଓଡିଶାର ପ୍ରାଣିପାଳକ ଏବଂ ମତ୍ସ୍ୟଚାଷୀଙ୍କ ପାଇଁ ଏକ ବହୁ ଚର୍ଚ୍ଚିତ ଘଟଣା ହୋଇପାରିଛି । ମାଛ ଓ ପ୍ରାଣୀଙ୍କ ଜୀବନ୍ତ ପ୍ରଦର୍ଶନ ସହିତ ଷ୍ଟଲ୍ ପ୍ରଦର୍ଶନୀ କୃଷକମାନଙ୍କ ପାଇଁ ଶୈକ୍ଷିକ ବାତାବରଣ ସୃଷ୍ଟି କରି ବର୍ତ୍ତମାନ ମତ୍ସ୍ୟଚାଷ ଏବଂ ପ୍ରାଣିପାଳନରେ ବୈଜ୍ଞାନିକ ପ୍ରଣାଳୀର ଉପଯୋଗ ପାଇଁ ପ୍ଲାଟଫର୍ମ ଭାବରେ ପରିଗଣିତ ହେଉଛି । ପ୍ରାଣିପାଳନ ଏବଂ ମତ୍ସ୍ୟଚାଷରୁ ଉନ୍ନତ ଲାଭ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ କୃଷକ-ବୈଜ୍ଞାନିକ ମତ-ବିନିମୟ କାର୍ଯ୍ୟକ୍ରମ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ କୃଷକମାନେ ପ୍ରଶ୍ନ ପଚାରିବା ଏବଂ ବିଶେଷଜ୍ଞଙ୍କଠାରୁ ପରାମର୍ଶ ପାଇବାକୁ ଉତ୍ସାହିତ ହେଉଛନ୍ତି ।
ଚଳିତ ବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ପ୍ରତ୍ୟେକ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଆୟୋଜନ କରାଯାଉଛିା ଏଥିରେ ଜିଲ୍ଲାର ସମସ୍ତ ବ୍ଲକରୁ କୃଷକମାନେ ଯୋଗଦେବେ । ପ୍ରାଣିପାଳକ, ଗୋପାଳକ, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟଚାଷୀମାନେ ସେମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ଏବଂ ମତ୍ସ୍ୟ ଓ ପ୍ରାଣିପାଳନକୁ ଉଦ୍ୟୋଗ ଭାବରେ ଗ୍ରହଣ କରିବା ପାଇଁ ଆତ୍ମବିଶ୍ୱାସ ଲାଭ କରିବେ । ଏହି ଉଦ୍ୟୋଗୀମାନେ ରାଜ୍ୟରେ ଗ୍ରାମୀଣ ଅର୍ଥନୈତିକ ବିକାଶର ପରିବର୍ତ୍ତନ ଏଜେଣ୍ଟ ଭାବରେ କାର୍ଯ୍ୟ କରିବେ । କୃଷକଙ୍କ ଆୟକୁ ଦ୍ୱିିଗୁଣିତ କରିବା ଏବଂ ଆର୍ଥିକ ଲାଭ ମାଧ୍ୟମରେ ସେମାନଙ୍କ ଜୀବନକୁ ସମୃଦ୍ଧ କରିବାର ଲକ୍ଷ୍ୟ ନେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ପରିକଳ୍ପନା କରାଯାଇଛି ।
ଏହି ବର୍ଷ, ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ୮ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ଏକ ବ୍ୟାପକ ସମୟ ମଧ୍ୟରେ ଆୟୋଜିତ ହେଉଛି । ରାଜ୍ୟସ୍ତରରୁ ଏହି ମେଳାଗୁଡ଼ିକର ପରିକଳ୍ପନା ଏବଂ ତଦାରଖ କରାଯାଉଛି । ଅନୁଗୁଳ ଓ ଗଜପତି ଜିଲ୍ଲାରେ ମେଳାର ଆୟୋଜନ ଶେଷ ହୋଇଛି ଏବଂ ଆଗାମୀ ୧୯ ଓ ୨୦ ନଭେମ୍ବରରେ ମୟୂରଭଞ୍ଜ, ରାୟଗଡା ଓ ବୌଦ୍ଧରେ ଏହା ଆୟୋଜିତ ହେବ । ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼, ପୁରୀ, ବରଗଡ, ଜଗତସିଂହପୁର, ଝାରସୁଗୁଡା, ଭଦ୍ରକ, ନବରଙ୍ଗପୁର ଏବଂ କନ୍ଧମାଳ ଭଳି ଜିଲ୍ଲାରେ ଏହି ମେଳା ଚଳିତ ମାସରେ ଆୟୋଜନ କରାଯାଇଥିବାବେଳେ ଡିସେମ୍ବର ମାସରେ ଅନ୍ୟ ଜିଲ୍ଲାଗୁଡ଼ିକରେ ମେଳା ଅନୁଷ୍ଠିତ ହେବ ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଏହି ମେଳା ରାଜ୍ୟରେ ଦୁU, ମାଛ, ମାଂସ ଓ ଅଣ୍ଡା ଉତ୍ପାଦନକୁ ନୂତନ ସ୍ତରକୁ ଆଣିବା ପାଇଁ ଏକ ପ୍ଲାଟଫର୍ମ । କୃଷକମାନେ ଏହି ମେଳାରୁ ଉନ୍ନତ କୌଶଳ ଶିକ୍ଷା ଲାଭ କରିବେ ଏବଂ ଅଧିକ ଉତ୍ପାଦନ ପାଇଁ ଏହାକୁ କ୍ଷେତ୍ରରେ ବ୍ୟବହାର କରିବେ । ଉତ୍ତମ ଲାଭ ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବାକୁ ସେ କୃଷକମାନଙ୍କୁ ଅନୁରୋଧ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ୱାରା ଏହି ମେଳା ଆୟୋଜନ କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାରି ଲକ୍ଷରୁ ଅଧିକ କୃଷକ ଏହି ମେଳାଗୁଡ଼ିକରେ ସମବେତ ହେବାର ଆଶା କରାଯାଉଛି ।
-0-
ସୂର୍ଯ୍ୟ ମିଶ୍ର,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ