ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ବ୍ରହ୍ମପୁରଠାରେ ଜାତୀୟ ସ୍ତରୀୟ ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ବୈଠକ କରି ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଥିଲେ ।
ଏହାପରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ତିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲାପାଳ କୀର୍ତର୍ି ଭାସନ ଭି. ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଉପସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କର ସେଦିନ ଯେଉଁ ଯେଉଁ କାର୍ଯ୍ୟକ୍ରମ ରହିଛି, ତାହାର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ଓ ଆଭାସୀ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବାରୁ ସେସବୁକୁ ଉପଯୁକ୍ତ ସମନ୍ୱୟ ଓ ସହଯୋଗର ସହିତ ସଂପାଦନ କରିବାକୁ ମୁଖ୍ୟ ସଚିବ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସଭା ସ୍ଥଳରେ ମଂଚ ପ୍ରସ୍ତୁତି, ଅତିଥି ଓ ଦର୍ଶକମାନଙ୍କ ବସିବା, ଇଭେଂଟ ଚେକ୍ ଲିଷ୍ଟ, ମଂଚ ପ୍ରସ୍ତୁତି ଚୂଡ଼ାନ୍ତ କରାଯିବା ଆଦି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
