ଭୁବନେଶ୍ୱର, ୧୧/୦୯/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ଆଜି ବ୍ୟୁଟିସିଆନ୍ ୱେଲଫେୟାର୍ ଆସୋସିଏସନ୍ ପକ୍ଷରୁ ଚତୁର୍ଥ ବାର୍ଷିକ ବ୍ୟୁଟିସିଆନ୍ ୱେଲଫେୟାର ଆସୋସିଏସନ ସମ୍ମିଳନୀ ‘ସମ୍ବନ୍ଧ’ କାର୍ୟ୍ୟକ୍ରମ ରେଲୱେ ଅଡିଟୋରିୟମ୍ ରେ ଅନୁଷ୍ଠିତ ହୋଇଯାଇଛି।
ବ୍ୟୁଟିସିଆନ୍ ୱେଲଫେୟାର୍ ଆସୋସିଏସନ୍ ର ରାଜ୍ୟ ସଭାପତି ସୁପ୍ରିୟା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବ୍ୟୁଟିସିଆନ୍ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବ୍ୟୁଟିସିଆନ୍ ମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ, ମହିଳା କୈନ୍ଦ୍ରିକ ଅର୍ଥନୀତିକୁ ଆଗେଇ ନେଉଥିବା ବ୍ୟୁଟିସିଆନ ମାନେ ନିଜକୁ ଜଣେ ଜଣେ ଶିଳ୍ପ ଭଳି ଗଢ଼ି ତୋଳିବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଛନ୍ତି। ଆଗାମୀ ଦିନରେ ଏହି ଆସୋସିଏସନ୍ ଅସହାୟ ଏବଂ ନିରାଶ୍ରୟ ମହିଳା ମାନଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସମସ୍ତ ସହଯୋଗ କରିବା ପାଇଁ ଆହ୍ଵାନ ଦେଇଥିଲେ। ସମସ୍ତଙ୍କ ପ୍ରଚେଷ୍ଟା ଏବଂ ସହଯୋଗରେ ହିଁ ମହିଳାମାନଙ୍କ ସାମଗ୍ରିକ ବିକାଶ ସମ୍ଭବ ହୋଇ ପାରିବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ।
ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ଏମ୍.ଡ଼ି. ମନଓ୍ବର ଅଲ୍ଲୀ ଯୋଗଦେଇ କହିଲେ ଯେ, ବ୍ୟୁଟିସିଆନ୍ ଭଉଣୀମାନେ ଆଜି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆତ୍ମନିର୍ଭରଶୀଳ ହେବାର ସ୍ବପ୍ନକୁ ସାକାର କରିପାରିଛନ୍ତି। ପରିବାର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ଶ୍ରୀ ଅଲ୍ଲୀ କହିଛନ୍ତି।
ବ୍ୟୁଟିସିଆନ୍ ୱେଲଫେୟାର୍ ଆସୋସିଏସନ୍ ର ରାଜ୍ୟ ସଭାପତି ସୁପ୍ରିୟା ମିଶ୍ର ସଭାପତିତ୍ବ କରି କହିଛନ୍ତି ଯେ, ଆମ ସଂଗଠନ ଯେତିକି ଶକ୍ତିଶାଳୀ ହେବ ବ୍ୟୁଟିସିଆନ୍ ଭଉଣୀମାନେ ସେତିକି ଶକ୍ତିଶାଳୀ ହେବେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ସମ୍ବାଦିକ ଭବାନୀ ମହାପାତ୍ର, ଦୁର୍ଗାଶିଷ, ଡା. ମାନସ ଦାସ, ମନ୍ଦାକୀନ ମିଶ୍ର, ବନସ୍ମିତା ପତି ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା।
ଏହି କାର୍ୟ୍ୟକ୍ରମରେ ବ୍ୟୁଟିସିଆନ୍ ୱେଲଫେୟାର୍ ଆସୋସିଏସନ୍ ର ରାଜ୍ୟ ସଂପାଦିକା ସୁନୀତା ରାୟ, ରାଜ୍ୟ ଉପସଭାପତି କୃଷ୍ଣପ୍ରିୟା ତ୍ରିପାଠୀ, ରାଜ୍ୟ କୋଷାଧ୍ୟକ୍ଷ ଇତିଶ୍ରୀ ମହାନ୍ତି ପ୍ରମୁଖଙ୍କ ସହ ରାଜ୍ୟର ୨୦୦୦ ରୁ ଅଧିକ ବ୍ୟୁଟିସିଆନମାନେ ଯୋଗଦେଇଥିଲେ।
