ପୂର୍ବାଂଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଢେଙ୍କାନାଳର ବିରାଶୋଳଠାରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର,୨୬/୦୮/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଂଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ ବି-ମାନ (ବିଲ୍ଡିଂ ଆଣ୍ଡ ମ୍ୟାନେଜମେଂଟ ଅଫ୍ ଆଭିଏସନ୍ ଆସେଟସ୍ ଆଣ୍ଡ ନେଟୱର୍କ) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି,ଯେଉଁଥିରେ ଆଦିବାସୀ କନ୍ୟା ମାନଙ୍କୁ ପାଇଲଟ ହେବା ପାଇଁନ ଟ୍ରେନିଂ ଦିଆଯିବ ।

ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ ଏମଆରଓ (ମେଂଟେନାନ୍ସ,ରିପାୟର ଆଣ୍ଡ ଓଭରହଲ) ସେବାଦାତା ଏୟାର ୱାର୍କସ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ଅନୁଯାୟୀ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମଆରଓ ସୁବିଧା ସ୍ଥାପିତ ହେବ । ଏଥିସହିତ, ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର Air Works ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ । ନୂଆ ସରକାର ଗଠନର ବିଗତ ୧୪ ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକ, ୧୫ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି । ଆମର ଏହି ନୀତି, ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ପରିବହନ ନେଟୱର୍କ ସହିତ ଯୋଡ଼ିବାରେ ସଫଳ ହୋଇଛି ।
ଆମେ ଏହି କ୍ଷେତ୍ରରେ, ଓଡିଶାକୁ ଆଗକୁ ନେବା ପାଇଁ ଭୂମିକା ସୃଷ୍ଟି ଓ କୌଶଳ ବିକାଶ ଉପରେ ମଧ୍ୟ ଜୋର ଦେଉଛୁ ଏବଂ ଢେଙ୍କାନାଳ ଜିଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି ।
