ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତ୍ରିରଙ୍ଗା ଅଭିଯାନ
ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଅନୁଦାନ
ଦେଶ ମାତୃକାର ବନ୍ଦନାରେ ଓଡ଼ିଶାବାସୀ ସାମିଲ ହେବା ପାଇଁ ସଂସ୍କୃତି ମନ୍ତ୍ରୀଙ୍କ ଆହ୍ୱାନ
ତ୍ରିରଙ୍ଗା ହେଉଛି ଆମ ପରିଚୟ ଓ ଆମ ସ୍ୱାଭିମାନ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୦ ୮/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ହେବ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ। ଅଗଷ୍ଟ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଆୟୋଜିତ ହେବ। ଏହି ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ “ଘରେ ଘରେ ତ୍ରିରଙ୍ଗା ଅଭିଯାନ” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ ତ୍ରିରଙ୍ଗା ଅଭିଯାନ” ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ। “ଘରେ ଘରେ ତ୍ରିରଙ୍ଗା ଅଭିଯାନ” କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଅଗଷ୍ଟ ୯ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହଯୋଗରେ ରାଜ୍ୟ ସ୍ତରୀୟ “ତ୍ରିରଙ୍ଗା ରାଲି” ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ହାତୀଆସୁଣୀ ଗ୍ରାଉଣ୍ଡ ଠାରୁ ଲୁମ୍ବିନୀ ବିହାର ରୋଡ଼ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଆୟୋଜିତ ହେବ। ତ୍ରିରଙ୍ଗା ରାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବ ବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନସିସି ଓ ଏନଏସଏସ ସ୍ୱେଚ୍ଛାସେବୀଙ୍କ ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଯୋଗଦେବେ। ସେହିପରି ଭାବେ ଜିଲ୍ଲା ସ୍ତରରେ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯିବ।
ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ “ମିଶନ ଶକ୍ତି” ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାମାନଙ୍କୁ ବଣ୍ଟନ କରାଯିବ। ଅଗଷ୍ଟ ୮ ତାରିଖ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୪୫ ଲକ୍ଷ ୪୦ ହଜାର ପତାକା ପ୍ରସ୍ତୁତ ହୋଇସାରିଛି। ପତାକା ତିଆରି ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧୫ କୋଟି ଟଙ୍କା ଆର୍ଥିକ ରାଶି ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି। ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପତାକା ଓଡ଼ିଶାର ଘରେ ଘରେ ପହଞ୍ଚିବ, ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ସମସ୍ତ ଜିଲ୍ଲାରେ ମଧ୍ୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ରାଜ୍ୟ ସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଫଟୋଚିତ୍ର ପ୍ରଦର୍ଶନୀ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହେବା ସହ ନାଟକ ପରିବେଷଣ କରାଯିବ। ବିଭାଜନ ସମୟରେ ପ୍ରଭାବିତ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କର ଅନୁଭୂତି ଶୁଣିବା ସହ ସେମାନଙ୍କୁ ସମ୍ମାନିତ କରାଯିବ। ସଭାକାର୍ଯ୍ୟ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ନେଇ ନୀରବ କ୍ୟାଲେଣ୍ଡର ଶୋଭାଯାତ୍ରାର ଆୟୋଜନ କରାଯିବ।
ଅଗଷ୍ଟ ୧୫ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବିନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ “ଭାରତୀୟମ୍”ର ଆୟୋଜନ କରାଯିବ। ଏଥିସହ “ବନ୍ଦେ ମାତରମ୍”ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ କନସର୍ଟର ଆୟୋଜନ କରାଯିବ। ବାଲୁକା କଳା, ବିଶାଳ ରଙ୍ଗୋଲି ପ୍ରଦର୍ଶନୀ ସହ “ସେଲ୍ଫି ୱିଥ୍ ତ୍ରିରଙ୍ଗା” ବୁଥ୍ ସ୍ଥାପନ କରାଯିବ।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ ନିଜର ଫଟୋକୁ ହରଘର ତ୍ରିରଙ୍ଗା ଡ଼ଟ କମ୍ (harghartiranga.com) ୱେବ୍ସାଇଟରେ ଅପଲୋଡ଼ କରି ନିଜର ଡିଜିଟାଲ ସାର୍ଟିଫିକେଟ ଡ଼ାଉନଲୋଡ଼ କରିପାରିବେ।ଏଥିସହ “My Gov” ପୋର୍ଟାଲରେ ମଧ୍ୟ ଅନଲାଇନ୍ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଘରେ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନଲାଇନ କୁଇଜ୍ରେ ଅଂଶଗ୍ରହଣ କରିବେ।
ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ସୀମିତ ନୁହେଁ, ବରଂ ଦେଶ ମାତୃକାର ବନ୍ଦନାରେ ଆମେ ସମସ୍ତେ ସାମିଲ ହେବା ପାଇଁ ଏକ ସୁବର୍ଣ୍ଣ ଅବସର। ତେଣୁ ସମସ୍ତ ବେସରକାରୀ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଏନଜିଓ ଏବଂ ସର୍ବୋପରି ଓଡ଼ିଶାର ସମସ୍ତ ଜନସାଧାରଣ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଡ଼. ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
