କେନ୍ଦ୍ରାପଡା ମହାବିଦ୍ୟାଳୟରେ ଉଦ୍ୟମତା ଓ ଷ୍ଟାଟ୍ ଅପ୍ ଇଣ୍ଡିଆ ଶୀର୍ଷକ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୧୪/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପିଜି ଓ ଯୁକ୍ତ ୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଦ୍ୟମତା ଓ ଷ୍ଟାଟ୍ ଅପ୍ ଇଣ୍ଡିଆ ଶୀର୍ଷକ ମୌଖିକ ଓ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗୀତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପୌରହିତ୍ୟ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର ସ୍ୱପ୍ନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ପୂର୍ବତନ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଜୀବନବୀମାର ବରିଷ୍ଠ ପରିଚାଳକ ମନୋଜ କୁମାର ଷଡଙ୍ଗୀ ଏବଂ ଆଭ୍ୟନ୍ତରୀଣ ବିଚାରକ ଭାବେ ରସାୟନ ବିଭାଗ ଅଧ୍ୟାପକ ଡ. ଗିରିଜା ପ୍ରସାଦ ମିଶ୍ର ଓ ମନସ୍ତତ୍ୱ ବିଭାଗ ଅଧ୍ୟାପକ ଡ. ଦେବକାନ୍ତ ଷଡଙ୍ଗୀ ଯୋଗଦେଇଥିଲେ । ମୌଖିକ ପ୍ରତିଯୋଗିତାରେ ଛାତ୍ର ଅମିତରଞ୍ଜନ ସାହୁ ପ୍ରଥମ, ଲକ୍ଷ୍ମୀଧର ସାହୁ ଦ୍ୱିତୀୟ ଓ ରେହା ଲାୟାସ ତୃତୀୟ ହୋଇଥିବା ବେଳେ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗୀତାରେ ଛାତ୍ର ସୌମ୍ୟରଞ୍ଜନ ନାୟକ ଓ ଅମିତରଞ୍ଜନ ସାହୁ ଯୁଗ୍ମ ପ୍ରଥମ, ଛାତ୍ରୀ ସ୍ୱାଗତିକା ତରାଇ ଦ୍ୱିତୀୟ ଓ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପ୍ରାଧ୍ୟାପକ ଶ୍ରୀ ପତି ସଭ୍ୟତାର ଆରମ୍ଭରୁ ଏଯାବତ ଆମ ଉଦ୍ୟମଶୀଳତା, ନୂଆଚିନ୍ତା, ଆବିଷ୍କାର ଓ ଉଦ୍ଭାବନ ଏକବିଂଶ ଶତାବ୍ଦୀର ଉନ୍ନତି ଶିଖରରେ ପହଂଚେଇ ପାରିଛି ବୋଲି କହିଥିଲେ । କିନ୍ତୁ ଏ ବିକାଶ ସମ୍ମନ୍ୱିତ ଓ ସମସ୍ତଙ୍କୁ ଧାରଣକରି ଅଗ୍ରଗତି କରିବାକୁ ପଡିବ । ବିଶେଷକରି ଆମ ପରିବେଶ, ପର୍ଯ୍ୟାବରଣର ସୁରକ୍ଷା ପ୍ରାଥମିକତା ପାଇବା ଉଚିତ ବୋଲି ପ୍ରାଧ୍ୟାପକ ଶ୍ରୀ ପତି ମତବ୍ୟକ୍ତ କରିଥିଲେ । ବରିଷ୍ଠ ପରିଚାଳକ ଶ୍ରୀ ଷଡଙ୍ଗୀ ଆମ ଯୁବଶକ୍ତି ଆମ ସମ୍ବଳ ଓ ଶକ୍ତି ବୋଲି କହିବା ସହ ଆମେ ଚାକିରୀ ପଛରେ ନଧାଇଁ ଚାକିରୀ ସୃଷ୍ଟି କରିବା ପାଇଁ ଧ୍ୟାନ ଦେବା ଦରକାର ବୋଲି କହିଥିଲେ ।

କାର୍ଯ୍ୟକ୍ରମର କନଭେନର ଡ. ବାସନ୍ତୀ ଶୁକ୍ଳା ଆଲୋଚନାର ଉପକ୍ରମ ଉପସ୍ଥାପନା କରିଥିଲେ । ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକ ଅତିଥି ପରିଚୟ, ଆଇ.କୁ୍ୟ.ଏ.ସି. ସଂଯୋଜିକା ଡ. ଦୀପ୍ତି ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପିକା ତପସ୍ୱିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ବିନ୍ଦୁସାଗର ସାହୁ, ଗିରିଶ କୁମାର ସାହୁ, ରାକେଶ କୁମାର ପ୍ରଧାନ ଓ ଅଧ୍ୟାପିକା ପ୍ରିୟଙ୍କା ସାହୁ ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *