ଉଠିଲା ନାହିଁ ଧାନ ତଳି ,ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଖଜୁରିଆକଟା,୨୦/୦୭/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ଉପଖଣ୍ଡରେ ପ୍ରାୟ ଶତକଡା ୫୦ ରୁ ଅଧିକା ଚାଷ ଜମି ପଡ଼ିଆ ପଡିଛି। ଠିକ୍ ସମୟରେ ବର୍ଷା ନହେବା, ଉଠା ଜଳ ସେଚନ ର ସମସ୍ୟା, ଜଙ୍ଗଲି ହାତୀ, ବାରାହା, ମାଙ୍କଡ ଓ ଷଣ୍ଢ ଙ୍କ ଉପଦ୍ରବ ଯୋଗୁଁ ଚାଷ କାର୍ୟ୍ୟରେ ବାଧା ଉପୁଜିଛି। ଚଳିତ ବର୍ଷ କେତେକ ଚାଷୀ ସମବାୟ ସମିତିରୁ ଧାନ ବିହନ ନେଇ ତଳି ପକାଇ ଥିବା ବେଳେ ତାହା ଫେଲ ମାରିବାରୁ ଚାଷୀଙ୍କ ଚିନ୍ତା ଦ୍ଵିଗୁଣିତ ହୋଇ ଯାଇଛି।

ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ପଞ୍ଚାୟତ ସ୍ଥିତ ବାଲିମି ଗ୍ରାମରେ। ଗ୍ରାମର ଶ୍ରୀନିବାସ ଜେନାମଣି, ବିଭୁତି ଜେନାମଣି,ଚନ୍ଦ୍ରଶେଖର ଜେନାମଣି, ଦିଲ୍ଲୀପ ଜେନାମଣି, ମିଛୁ ଦେହୁରୀ, ରସାନନ୍ଦ ବେହେରା ପ୍ରମୁଖ ରଞ୍ଜାଗୋଳ ଠାରେ ଥିବା ସମବାୟ ସମିତିରୁ କଳା ଚମ୍ପା ନାମକ ଏକ ଧାନ ବିହନ ଆଣି ତଳି ପକାଇ ଥିଲେ। ହେଲେ ଗୋଟିଏ ବି ଧାନ ଗଜା ହୋଇ ତଳି ହୋଇ ନଥିଲା।

ଫଳରେ ଜମି ପ୍ରସ୍ତୁତ କରି ରଖିଥିବା ଚାଷୀ ମାନେ ଏବେ ଚିନ୍ତାରେ ପଡି ଯାଇଛନ୍ତି। ଜୁଲାଇ ମାସ ଶେଷ ହେବାକୁ ବସିଥିବା ବେଳେ ସମବାୟ ସମିତିରେ ପର୍ୟ୍ୟାପ୍ତ ପରିମାଣର ଧାନ ବିହନ ଓ ରାସାୟନିକ ସାରର ଅଭାବ ଯୋଗୁଁ ଏହି ସମିତି ଅଧୀନରେ ଥିବା ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଦଳିଲା ସରକାର ।  ନୂଆ ସରକାର ହେଲେ ।  ହେଲେ ବଦଳିଲାନି ଚାଷୀ ଙ୍କ ସମସ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

Leave a Reply

Your email address will not be published. Required fields are marked *