ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳା।

ଯାଜପୁର,୧୧/୦୭/୨୦୨୫ (ଓଡ଼ିଶା ସମାଚାର)-  ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶ୍ରମ କମିଶନର ଶ୍ରୀ  ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ  ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ   କହିଲେ ଆଜିର ବୈଠକ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମିତ୍ତ ଉଦ୍ଦିଷ୍ଟ।  ଇଂରେଜ ମାନଙ୍କ ସମୟରୁ ଏହି ଶ୍ରମିକ ପ୍ରଥା ଚାଲି ଆସୁଛି । କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଶିଶୁ ମାନଙ୍କ ଯତ୍ନ ନେବା ପାଇଁ ବିଭିନ୍ନ ବିଭାଗରେ ଆଇନ ପ୍ରଣୟନ କରିଛନ୍ତି।

ଶିଶୁଟି ମା’ ର ଗର୍ଭରେ ଥିବା ସମୟରୁ ସରକାର ମା କୁ ସଠିକ୍ ପୋଷଣ ଯୁକ୍ତ ଖାଦ୍ୟ ଏବଂ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସହ ଶିଶୁଟି ବଡ଼ ହେଲେ ପାଠ ପଢ଼ିବା ନିମନ୍ତେ ଫ୍ରି ସ୍କୁଲିଂ, ଉଚ୍ଚ ଶିକ୍ଷା ଲାଭ କରିବା ନିମନ୍ତେ ବିଭିନ୍ନ ବୃତ୍ତିର ବ୍ୟବସ୍ଥା ଏବଂ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠା ମଧ୍ୟ କରିଛନ୍ତି। ପିଲାମାନଙ୍କ ଦକ୍ଷତା ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ତାଲିମ ମଧ୍ୟ ପ୍ରଦାନ କରାଯାଉଛି ।

ସରକାରଙ୍କ ଦ୍ଵାରା ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏବେ ବି କେତେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି। ସରକାରୀ ସ୍ତରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଯେଉଁ ସବୁ  ନିୟମାବଳୀ କରାଯାଇଛି ସମସ୍ତେ ଏହାର ସଠିକ ଭାବେ ଅନୁପାଳନ କଲେ ଏବଂ ଆନ୍ତରିକତାର ସହ କାର୍ଯ୍ୟ କଲେ ଏହି ଶିଶୁ ଶ୍ରମିକ ପ୍ରଥା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପାରିବ।

ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ  କହିଲେ   ଶିଶୁ ଟିଏ କିପରି ତାର ମୌଳିକ ଅଧିକାର ଓ ସୁବିଧା ପାଇପାରିବ ଆମେ ନିଶ୍ଚିତ ସେ ଦିଗ ପ୍ରତି କାର୍ଯ୍ୟ କରିବା । ଶିଶୁ ଶ୍ରମିକ ପ୍ରଥା କୁ ଏକ ସମାଜିକ ବ୍ୟାଧି ରୂପେ ଅଭିହିତ କରିବା ସହ ଏହାର ନିରାକରଣ ଦିଗରେ ସମସ୍ତଙ୍କ ର ଦାୟିତ୍ଵ  ରହିଛି। ପ୍ରତ୍ୟେକ ନାଗରିକ ଶିଶୁ ଶ୍ରମିକ କୁ ବିରୋଧ କରିବା ପାଇଁ ଶପଥ ନେବା ଉଚିତ୍ ବୋଲି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ବୈଠକରେ ଯୋଗଦେଇ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା କହିଲେ ଆଜିର ପିଲା ହେଉଛନ୍ତି କାଲି ର ଭବିଷ୍ୟତ । ସେମାନେ ହିଁ ଦେଶକୁ ଆଗକୁ ନେବେ ଆମକୁ ସେଥିପ୍ରତି ସଜାଗ ରହିବାକୁ ପଡିବ ଯେପରି କୌଣସି ଶିଶୁ ପାଠ ପଢାରୁ ବଞ୍ଚିତ ନରୁହନ୍ତୁ। ସରକାରଙ୍କ ଦ୍ଵାରା ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆ ଯାଇଥିବା ସତ୍ତ୍ୱେ ମଧ୍ୟ ଏହାର ସଠିକ ଭାବେ ଉପଯୋଗ ହେଉ ନାହିଁ ଆମକୁ ଏଥି ପ୍ରତି ସଚେତନ ହେବାକୁ ପଡିବ ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ।

କୌଣସି ବ୍ୟକ୍ତି ଯଦି ୧୪ ବର୍ଷରୁ କମ ପିଲାଙ୍କୁ କାମରେ ନିୟୋଜିତ କରିଥିବାର ନଜର ଆସେ ତାହେଲେ ଚାଇଲ୍ଡ ଲାଇନ ୧୦୯୮ ନମ୍ବରକୁ କଲ୍ କରି ଜଣାଇବାକୁ ପରାମର୍ଶ ଦେଇଥିଲେ। ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ଏଥିପ୍ରତି ଜନସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକ। ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଗଠନ କରିବା ଆମର ସଂକଳ୍ପ ହବା ଆବଶ୍ୟକ ବୋଲି ସେ ବକ୍ତବ୍ୟ ରଖିଥିଲେ।

୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ ନକରିବା, ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ ନିୟୋଜନକୁ ବାରଣ କରିବା, ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଥାନ୍ତି ଏବଂ ୧୫ ରୁ ୧୮ ବର୍ଷର ପିଲାଙ୍କୁ ବିପଦସଙ୍କୁଳ ବୃତ୍ତିରେ ନିୟୋଜିତ କରିଥାନ୍ତି ତେବେ ନିଜ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରିବାକୁ କିମ୍ବା ଚାଇଲ୍ଡ ଲାଇନ ୧୦୯୮ କୁ କଲ କରି ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ୫୦ ହଜାର ଜୋରିମାନା ସହିତ ୨ ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦେବାଶିଷ ଜେନା ସ୍ବାଗତ ଭାଷଣ ଦେଇଥିଲେ। ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୁରମା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ, ଶ୍ରୀ ସୌମ୍ୟା ରଞ୍ଜନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାତୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଜ ଆସଫା ଏନ୍.ଜି.ଓ, ନୀଳାଚଳ ଇସ୍ପାତ ନିଗମ କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *