ଜାତୀୟସ୍ତରୀୟ ଜିଲ୍ଲା ଖଣିଜ ପାଣ୍ଠି  କର୍ମଶାଳା

ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ

ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା   କାର୍ଯ୍ୟକାରିତା ପାଇଁ ଓଡ଼ିଶାକୁ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୯/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ  କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମାର୍ଗଦର୍ଶିକା ଅନୁସାରେ  ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି  ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର  ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା  ।  ୨୫  ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ   ଓଡ଼ିଶା ୩୧ ,୩୨୪ କୋଟି ଟଙ୍କା ସଂଗ୍ରହ କରି ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ୫ ଟି ରାଜ୍ୟ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ  ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ କାର୍ଯ୍ୟକ୍ରମରେ ଯୋଗଦେଇ   ଏହି ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି ।

କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଜି.କିଶାନ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ କାର୍ଯ୍ୟକାରିତାରେ ଆଗୁଆ ଥିବା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର  ଖଣି ସଚିବ  ସଚିବ  ଏଲ୍ କାନ୍ଥା ରାଓ ପ୍ରମୁଖ  ଉପସ୍ଥିତ ଥିଲେ ।

  ଜିଲ୍ଲାପାଳ, କେନ୍ଦୁଝରଙ୍କ ସମେତ ଦେଶର ଅନ୍ୟ ବିଭିନ୍ନ ରାଜ୍ୟର  ୪ ଜଣ ଜିଲ୍ଲାପାଳ ମିଳିତ ଭାବେ ଡିଏମଏଫ୍ ପାଣ୍ଠି ସଂଗ୍ରହ ଏବଂ ଏହାର ଉପଯୋଗିତାରେ କିପରି ସ୍ୱଚ୍ଛତା ବଜାୟ ରହିପାରୁଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ଜିଲ୍ଲାପାଳଙ୍କ ଟିମ୍ ର ସଦସ୍ୟ ମାନେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ଓ ଏହାର କାର୍ଯ୍ୟକାରିତାରେ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ  ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟ ଠାରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହାକୁ ମନ୍ତ୍ରୀ ଶ୍ରୀ କିଶାନ  ଉଦଘାଟନ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ଦେଶର ୨୩ ଟି ରାଜ୍ୟର  ୬୪୬ ଟି ଜିଲ୍ଲାରେ ଡିଏମଏଫ୍ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି । ଖଣିଜ ଦ୍ରବ୍ୟ ଉତ୍ତୋଳନ ଯୋଗୁଁ ପ୍ରଭାବିତ ହେଉଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ  ଯୋଜନାରେ  ଏହି ପାଣ୍ଠି ଉପଯୋଗ କରାଯାଉଛି ।

-0-

ପଠାଣି ରାଉତ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *