ପୁଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍ – ବନ୍ଧୁକ, ନଗଦ ଟଙ୍କା ,ସୁନା ଓ  ରୁପା ଅଳଙ୍କାର ଜବତ

ସାଲେପୁର,୧୬/୦୬/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲା ସାଲେପୁର ଥାନା ପୋଲିସ ହାତରେ ଧରାପଡିଛନ୍ତି ୪ଜଣିଆ ଆନ୍ତଜିଲା ଡକାୟତି ଗ୍ୟାଙ୍ଗ । ଏମାନେ ଗତ ୧ ତାରିଖରେ ନାନ୍ଦୋଳ – ତେନ୍ତଳ ରୋଡ଼ରେ ଘର କରି ରହି ଆସୁଥିବା ଶିକ୍ଷୟିତ୍ରୀ ମାନସୀ ସିଂହଙ୍କ ଘରେ ରାତି ଅଧରେ ପଶି ମାରଣାସ୍ତ୍ର ଦେଖାଇ ଡକାୟତି କରିଥିଲେ । ଏହାପରେ ସାଲେପୁର – କଟକ ମୁଖ୍ୟ ରାସ୍ତାର ନାନ୍ଦୋଳ ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ମଧ୍ୟ ସମାନ ଢଙ୍ଗରେ ଭୟଭିତ କରାଇ ୬୦ହାଜର ଟଙ୍କା ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ।

ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିରଂଚି ନାରାୟଣ ପତିଙ୍କ ନେତୃତ୍ୱରେ ଗଠିତ ଟିମ ରେ ସାଲେପୁର ଥାନା ଆଇଆଇସି ଅନିତା ସାହୁ, ମାହାଙ୍ଗା ଥାନା ଆଇଆଇସି ତପନ କୁମାର ନାୟକ, ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଯୁଗଳ କିଶୋର ଦାସ ମିଳିତ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ଡକାୟତି ଘଟଣାରେ ଅଧିକ ଲୋକ ସାମିଲ ଥିବା ପୁଲିସକୁ ସୁରାଗ ମିଳୁଛି । ହେଲେ ଏବେ ୪ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୁଲିସ । ଏମାନଙ୍କ ଭିତରେ ତିନି ପେଷାଦାର ଡକାୟତ ଥିବାବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ନିକଟରେ ଏମାନେ ଜେଲରୁ ଜାମିନରେ ଆସିଛନ୍ତି ।

ଏମାନଙ୍କ ଠାରୁ ଲୁଟ ସାମଗ୍ରୀକୁ କ୍ରୟ କରୁଥିବା ଜଣେ ସଦସ୍ୟ ସାମିଲ ରହିଛି । ଗିରଫ ୩ ଅଭିଯୁକ୍ତ ମାନେ ହେଲେ ମାର୍ଶାଘାଇ ଥାନା ଜୁଣ ଗ୍ରାମର ପ୍ରଦୀପ୍ତ ମଲ୍ଲିକଙ୍କ ପୁଅ ହୃଷିକେଶ ମଲ୍ଲିକ ଏବଂ ସେହି ଗ୍ରାମର ବିକ୍ରମ ମଲ୍ଲିକଙ୍କ ପୁଅ ଜ୍ୟୋତି ପ୍ରକାଶ ମଲ୍ଲିକ , ଅନ୍ୟଜଣେ ମାର୍ଶାଘାଇ ଥାନା ବଡ଼ପାଳ ଗ୍ରାମର ପ୍ରକାଶ ଆଚାର୍ଯ୍ୟଙ୍କ ପୁଅ ହେମନ୍ତ ଆଚାର୍ଯ୍ୟ । ସେମାନଙ୍କ ଠାରୁ ଚୋରି ସାମଗ୍ରୀ କ୍ରୟକରି ଆସୁଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟ ହେଲେ କେନ୍ଦ୍ରାପଡା ଥାନା ବଡ଼ଗାଁ ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁ ।

ସେମାନଙ୍କଠାରୁ ପୁଲିସ ସୁନା ଶଙ୍ଖା ୬ହଳ, କାନ ଫୁଲ ଏକ ହଳ, ରୁପା ପାଉଁଜି ଏକ ହଳ, ରୁପା ଚେନ ଗୋଟିଏ, ଗୋଟିଏ ବନ୍ଧୁକ, ଗୋଟିଏ ଲେଖା ଭୁଜାଲି, କଟୁରି, ବାଇକ ଓ ନଗଦ ୭ ହଜାର ଟଙ୍କା ଜବତ କରିଥିବା କଟକ ଗ୍ରାମାଂଚଳ ଏସପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ୩ ସଦସ୍ୟ ଏବେ ବି ଫେରାର ଅଛନ୍ତି । ପୁଲିସ ସେମାନଙ୍କ ବିଷୟରେ ସୁରାଗ ପାଇ ତଦନ୍ତ ଚଳାଇଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *