ଯାଜପୁର ୧୪/୦୬/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ବ୍ୟାପୁଥିବା ଡାଇରିଆ ସଂକ୍ରମଣ ଯୋଗୁ ଆଜି ଯାଜପୁର ଜିଲ୍ଲାରେ ଯାଜପୁର ପୌରପାଳିକା ପକ୍ଷରୁ ନିମ୍ନ ମାନର ଖାଦ୍ୟ ବିକ୍ରୟ କରୁଥିବା ହୋଟେଲ ରୁଚିକା ଉପରେ ଚଢାଉ କରାଯାଇଛି।
ଚଢ଼ାଉ ସମୟରେ ସ୍ବାସ୍ଥ୍ୟ ଅଧିକାରୀ,
ଯାଜପୁର ପୌରପାଳିକା ଡ଼ା. ପ୍ରଦୀପ କୁମାର ଖୁଣ୍ଟିଆ କହିଥିଲେ ଯାଜପୁରରେ ଦୀର୍ଘ କିଛି ଦିନରୁ ଡାଇରିଆ ସଂକ୍ରମଣ ବଢୁଥିବାରୁ ବାହାର ଖାଦ୍ୟ ତଥା ନିମ୍ନ ମାନର ଖାଦ୍ୟ ବିକ୍ରୟ କରିବା ପାଇଁ ସମସ୍ତ ଦୋକାନୀ, ହୋଟେଲ କୁ ବାରଣ କରାଯାଇଥିଲା।
୩ ଦିନ ପୂର୍ବରୁ ଋଚିକା ହୋଟେଲରେ ନିମ୍ନ ମାନର ଖାଦ୍ୟ ବିକ୍ରୟ କରାଯାଉଥିବାର ଯାଞ୍ଚ କରାଯାଇ ନିମ୍ନମାନର ଖାଦ୍ୟ ତଥା ସମସ୍ତ ବାସି ଖାଦ୍ୟକୁ ଫୋପାଡି ଦିଆ ଯାଇଥିଲା ଏବଂ ତାଙ୍କୁ ନିମ୍ନମାନର ତଥା କୌଣସି ବାସି ଖାଦ୍ୟ ବିକ୍ରୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୁନର୍ବାର ତୃତୀୟ ପର୍ଯ୍ୟାୟ ଯାଞ୍ଚ ବେଳେ ଜଣା ପଡ଼ିଲା ରୂଚିକା ହୋଟେଲରେ ପୁନଶ୍ଚ ନିମ୍ନ ମାନର ଖାଦ୍ୟ ତଥା ବାସି ଖାଦ୍ୟ ବିକ୍ରୟ କରାଯାଉଥିଲା। ହୋଟେଲ ଲାଇସେନ୍ସ ର ଅବଧି ଶେଷ ହୋଇଥିବା ସତ୍ତ୍ୱେ ଏହାର ନବୀକରଣ କରାଯାଇନଥିଲା।
ହୋଟେଲର ପରିମଳ ବ୍ୟବସ୍ଥା ବଜାୟ ରଖାଯାଉନାହିଁ। ବାସି ମାଛ, ବାସି ଚଉମିନ ଇତ୍ୟାଦି ବିକ୍ରୟ କରାଯାଉଥିଲା। ତାଗିଦ କରାଯିବା ସତ୍ତ୍ୱେ ପୁନଶ୍ଚ ନିମ୍ନମାନର ଖାଦ୍ୟ ତଥା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରୟ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ହୋଟେଲ ରୁଚିକା ଉପରେ ଚଢାଉ କରାଯାଇ ଏହାକୁ ସିଲ୍ କରାଯାଇଛି।
ବାସି ମିଠା ବିକ୍ରୟ ଏବଂ ବ୍ୟବସାୟ ଲାଇସେନ୍ସ ନଥିବାରୁ ନନ୍ଦିଘୋଷ ହୋଟେଲ ଉପରେ ମଧ୍ୟ ଚଢ଼ାଉ କରାଯାଇ ସିଲ୍ କରାଯାଇଛି। ବାସି ଚିକେନ, ବାସି ଚିଙ୍ଗୁଡ଼ି ବିକ୍ରୟ ଏବଂ ବ୍ୟବସାୟ ଲାଇସେନ୍ସ ନଥିବାରୁ ହୋଟେଲ ଫ୍ଲେମନ୍ କୁ ଚଢ଼ାଉ କରାଯାଇ ସିଲ୍ କରାଯାଇଛି।
କୌଣସି ବ୍ୟବସାୟ ଲାଇସେନ୍ସ କିମ୍ବା ଅନ୍ୟ ଲାଇସେନ୍ସ ନଥିବା ହେତୁ ଅନନ୍ତ ବିଳାସ ସୁଇଟ ଷ୍ଟଲ କୁ ମଧ୍ୟ ଚଢ଼ାଉ କରାଯାଇ ସିଲ୍ କରାଯାଇଛି। ବାସି ଚିକେନ ରନ୍ଧା ବିକ୍ରୟ, ଏବଂ କୌଣସି ବ୍ୟବସାୟ ଲାଇସେନ୍ସ ନଥିବାରୁ ଦାଦି ମା ହୋଟେଲକୁ ମଧ୍ୟ ଚଢ଼ାଉ କରାଯାଇ ସିଲ୍ କରାଯାଇଛି।
