ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ସନ୍ଧ୍ୟା’

ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତର ପ୍ରଚାର ପ୍ରସାର ଦିଗରେ ସଦା ସର୍ବଦା ଜାଗ୍ରତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ସାନ୍ଧ୍ୟକାଳୀନ ଶ୍ରେଣୀରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଓଡ଼ିଶୀ ସନ୍ଧ୍ୟା’ ଆଜି ସନ୍ଧ୍ୟାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଏହାର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଛି । ଆମ ରାଜ୍ୟର ଗୌରବ ଓ ସୌରଭମୟ ପାରମ୍ପରିକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ ରଖିବା ସହିତ ନୂତନ ପୀଢ଼ୀର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଳ୍ପୀମାନେ ଗୁରୁ ଅଚୁ୍ୟତ ମହାରଣାଙ୍କ ନିର୍ଦ୍ଧେଶିତ ଓଡ଼ିଶୀ ରାଗ ସଙ୍ଗୀତ ‘କାହିଁକି ସଖି ବଳାଉ ମୋତେ’, ଓଡ଼ିଶୀ ଛାନ୍ଦ ‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’, ପରେ ପରେ ଜଣାଣ ‘ଦୀନବନ୍ଧୁ ଏହି ଅଳି ଶ୍ରୀ ଛାମୁରେ’ ଏବଂ ଭଜନ ‘ପ୍ରଭୁ କି ସୁନ୍ଦର ଦିଶ’ ଅତି ଚମତ୍କାର ଭାବରେ ପରିବେଷଣ କରିଥିଲେ ଯାହାକି ଉପସ୍ଥିତ ଦର୍ଶକଙ୍କୁ ଭାବାବେଗରେ ବାନ୍ଧି ରଖିଥିଲା ।


କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଗୁରୁ ସାଗରିକା ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଧେଶିତ ‘ମଙ୍ଗଳାଚରଣ (ଗଣେଶ ବନ୍ଦନା)’, ‘ପଲ୍ଲବୀ (ରାଗ- ବସନ୍ତ)’ ଏବଂ ‘ବଟୁ’ ପର୍ଯ୍ୟାୟକ୍ରମେ ଖୁବ୍ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ । ଶିଳ୍ପୀମାନଙ୍କ ଦ୍ୱାରା ପ୍ରଦର୍ଶୀତ ନିଖୁଣ ପରିବେଷଣକୁ ଶେଷ ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ । ଅନୁଷ୍ଠାନର କନିଷ୍ଠରୁ ବରିଷ୍ଠ ଅନୁ୍ୟନ ୩୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ।

ଆଜି ସନ୍ଧ୍ୟାର ଅତିଥି ଭାବରେ ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ କାଳନ୍ଦୀ ଚରଣ ପରିଡ଼ା, ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ଗୁରୁ ଲୀନା ନନ୍ଦ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ଦର୍ଶକ ଏବଂ ଅଭିଭାବକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଜଳନ୍ଧର ନାଏକ । ଶେଷରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଦେବଯାନୀ ଭୂୟାଁ ସମସ୍ତ ଦର୍ଶକବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *