ଋତୁସ୍ରାବ, ଈଶ୍ବରଙ୍କ ପ୍ରଦତ୍ତ ଆଶୀର୍ବାଦ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

–        ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳିତ

 –       ସ୍ବଚ୍ଛ ଋତୁସ୍ରାବ ମହିଳାଙ୍କ ସୁସ୍ଥ ଶରୀରର ପ୍ରତୀକ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

 –       ସର୍ବସାଧାରଣ ସ୍ଥାନରେ ମହିଳା ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ପ୍ରସ୍ତାବ

ଭୁବନେଶ୍ୱର,୨୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ ବୋଲି ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି। ଆଇନା ଏନଜିଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସହଭାଗିତାରେ ବିଶ୍ଵ ଋତୁସ୍ରାବ ସ୍ଵଚ୍ଛତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଋତୁସ୍ରାବ, ମହିଳାମାନଙ୍କୁ ଈଶ୍ବରଙ୍କ ପ୍ରଦତ୍ତ ଆଶୀର୍ବାଦ ବୋଲି ଦୃଢ ମତ ରଖିଛନ୍ତି ।

ସମାଜରେ ଋତୁସ୍ରାବ ଅନୁକୂଳ(ପିରିୟଡ ଫ୍ରେଣ୍ଡଲି) ପରିବେଶ ସୃଷ୍ଟି କରିବା ପାଇଁ ପ୍ରତି ସର୍ବସାଧାରଣ ସ୍ଥାନରେ ଏକ ମହିଳା ଅନୁକୂଳ (ୱୂମେନ ଫ୍ରେଣ୍ଡଲି) ଜୋନ ସୃଷ୍ଟି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଋତୁସ୍ରାବ ଜନିତ ଅନ୍ଧବିଶ୍ଵାସ ସହ ଲଢିବା ପାଇଁ ଆମକୁ ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବା ସହ ଆମର ନିଜର ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ । ଘରର ମା’ ମାନେ ମଧ୍ୟ ପୁଅ ଅପେକ୍ଷା ଝିଅମାନଙ୍କୁ ଅଧିକ ଯତ୍ନ କରିବା ଦରକାର। ଏହା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ  ସ୍ଵଚ୍ଛ ଶୌଚଳୟ ଉପରେ ମଧ୍ୟ ସେ ଗୁରୁତ୍ଵାରୋପ କରିଥିଲେ । ଋତୁସ୍ରାବ ଭଳି ସମ୍ବେଦନଶୀଳ ବିଷୟ ଆଗକୁ ଆଣିଥିବାରୁ ଆଇନା ଏନଜିଓ  ଓ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀଙ୍କୁ ଶ୍ରୀମତୀ ପରିଡା ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଋତୁସ୍ରାବ ଜନିତ ଅସୁବିଧାଗୁଡିକୁ ବର୍ଣ୍ଣନା କରିବା ସହ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପଦକ୍ଷେପଗୁଡିକୁ ଉଲ୍ଲେଖ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୱାଟରଏଡ, ପିସିଆଇ ଇଣ୍ଡିଆ, ପିରାମାଲ ଫାଉଣ୍ଡେସନ, ସ୍ଵାସ୍ଥ୍ୟପ୍ଲସ, ଓଡ଼ିଶାଲାଇଭ, ନାୱୋ ପ୍ଲସ, ୟୁନିସେଫ, ସିୱାଇଏସଡି, ଭିୟୁଜ୍ ଇଣ୍ଡିଆ, ୟୁଏନଡିପି, ସିଆଇଏଫଏଆର, ପିଜେଏସ, ୱାଟର ଇନିସିଏଟିଭିସ, ଜିତା ଆଦି ଅନୁଷ୍ଠାନର ସହଯୋଗରେ ଅନୁଷ୍ଠିତ ହୋଇଥିଲା  । ଆଇନା ଦ୍ୱାରା କରାଯାଇଥିବା ଋତୁସ୍ରାବ ପରିଚ୍ଛନ୍ନତା ସର୍ଭେ ରିପୋର୍ଟକୁ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା ।

-0-

ତନୁଜା ମହାନ୍ତି ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *