ନୂଆଦିଲ୍ଲୀଠାରେ ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ଦକ୍ଷତା ନିର୍ମାଣ ପ୍ରଶିକ୍ଷଣ

 ଭୁବନେଶ୍ୱର,୨୮/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷକ ବିକାଶ ଓ ଡିଜିଟାଲ୍ ଶିକ୍ଷାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିଆଇଇଟି) ସହ ମିଳିତ ଭାବରେ  ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆଦିଲ୍ଲୀର ଏନସିଇଆରଟିଠାରେ ଏକ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟରଙ୍କ ନେତୃତ୍ବରେ ପିଏମ-ଇ ବିଦ୍ୟା ଅଧିନରେ ବିଷୟବସ୍ତୁ ବିକାଶ କରିବା ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଇ ୨୬ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ୍ ୪୦ ଜଣ ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ଅଂଶଗ୍ରହଣ କରିଛନ୍ତି ।

ପିଏମ୍ ଇ-ବିଦ୍ୟା ମିଶନ ଏବଂ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏହି ମିଳିତ ପଦକ୍ଷେପର ଲକ୍ଷ୍ୟ ହେଉଛି ଶିକ୍ଷକମାନଙ୍କର ଡିଜିଟାଲ୍ ଦକ୍ଷତା ବୃଦ୍ଧି କରିବା ଏବଂ ଶ୍ରେଣୀଗୃହ ଶିକ୍ଷାଦାନରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ଉଚ୍ଚମାନର ଇ-ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଭାବଶାଳୀ ଶିକ୍ଷାର ବିକାଶ ହୋଇପାରିବ ।

ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସୁଶୀଳାବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇତ୍ୟାଦି ଶିକ୍ଷାନୁଷ୍ଠାନରୁ ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ବାଣିଜ୍ୟ, ଅର୍ଥନୀତି, ଶିକ୍ଷା, ଇଂରାଜୀ, ଇତିହାସ, ତର୍କ, ଗଣିତ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନର ବିଭିନ୍ନ ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଛନ୍ତି ।

କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଡ଼ିଜିଟାଲ୍ ଶିକ୍ଷାର ବିଶେଷଜ୍ଞଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣରେ ଡିଜିଟାଲ୍ ବିଷୟବସ୍ତୁ ପାଇଁ ଲେଖା, ମଲ୍ଟିମିଡିଆ ଲେସନ୍ କ୍ରିଏସନ୍, ଇଣ୍ଟରାକ୍ଟିଭ୍ ରିସୋର୍ସ ଡିଜାଇନ୍ ଓ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଭଳି ଅନେକ ବ୍ୟବହାରିକ ଦକ୍ଷତା ନିର୍ମାଣ ଉପରେ ତାଲିମ୍ ଦିଆଯାଇଛି  ।  ଏହି ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ବିଭାଗ ଓ କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ଦୃଷ୍ଟିକୋଣକୁ ସମର୍ଥିତ କରେ । ଏହାଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଆକର୍ଷଣୀୟ, ସହଜ-ସୁଗମ ଡିଜିଟାଲ୍ ଶିକ୍ଷା ମିଳିପାରିବ । ଏଥିସହ ଅଂଶଗ୍ରହଣକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣରେ ଖୁସି ବ୍ୟକ୍ତ କରିଛନ୍ତି ।

-0-

ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *