ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା
ପାଟଣାଗଡ଼,୨୮/୦୫/୨୦୨୫ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨ ହଜାର ପୃଷ୍ଠାର ଚାର୍ଜସିଟ୍ ଓ ୬୦ରୁ ଅଧିକ ସାକ୍ଷ୍ୟଗ୍ରହଣ ସହ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ ଦୋଷୀ ସାବ୍ୟସ୍ତ ହୋଇଛି ପୁଞ୍ଜିଲାଲ। ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି କୋର୍ଟ। ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ ପୁଞ୍ଜିଲାଲ ମେହେର । ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ରାୟ ପ୍ରକାଶ ପାଇବାରୁ ବିଭିନ୍ନ ମହଲରେ ଏନେଇ ଉତ୍ସୁକତା ଦେଖା ଦେଇଛି।
୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବବିବାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା।
