ବିଭିନ୍ନ ସଂଗଠନ ର କର୍ମକର୍ତ୍ତାଙ୍କ ସହ ଦିଲ୍ଲିପ ରାୟ ଙ୍କ ସାକ୍ଷାତ ଆଲୋଚନା

ରାଉରକେଲା, ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)- ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ଭେଟ କରିଥିଲେ। ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରୀ ରାୟଙ୍କୁ ପୁଷ୍ପଗୁଛ ଦେଇ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ସହରର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ମହାସମ୍ମିଳନୀ, ମାର୍ଚ୍ଚ ୧୬ ତାରିଖରେ ସଚେତନ ନାଗରିକ ମଞ୍ଚର ଦଶମ ବାର୍ଷିକୋତ୍ସବ ତଥା କାର୍ଯ୍ୟାଳୟ ଉଦଘାଟନରେ ଶ୍ରୀ ରାୟ ଉଦଘାଟକ ଭାବେ ଯୋଗଦେବେ । ସେହିପରି ଓଡ଼ିଶା ଷ୍ଟେଟ ହାଉସିଙ୍ଗ୍ ବୋର୍ଡ ଲ୍ୟାଣ୍ଡ ଆଣ୍ଡ ହାଉସ ଓନର ଆସୋସିଏସନ୍ ତରଫରୁ ରାଉରକେଲା ରେ ଥିବା ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା କୁ ରାଉରକେଲାରେ କାର୍ଯ୍ୟକ୍ଷମ କରିବାକୁ ତଥା ଏହାର ଆବଶ୍ୟକୀୟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପାଇଁ ଓଡିଶା ଗୃହ ନିର୍ମାଣ ସଂସ୍ଥା ର ରାଉରକେଲା ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟ ବନ୍ଦ ହେବାକୁ ଯାଉଛି । ୧୯୭୫ ମସିହା ରେ ଆରମ୍ଭ ହୋଇଥିବା ଅଫିସ ରାଉରକେଲା ସ୍ଥିତ ବାସନ୍ତି କଲୋନୀ ରେ ୨୩୭୬ , ଛେଣ୍ଡ ଫେଜ ୧ ରେ ୧୦୩୫,ଛେଣ୍ଡ ଫେଜ ୨ ରେ ୮୩୨,ଛେଣ୍ଡ ଫେଜ ୩ ରେ ୯୭୨ ଟି ବାସଗୃହ ଜନସାଧାରଣ ଙ୍କ ପାଇଁ ନିର୍ମାଣ କରାଯାଇ ବଣ୍ଟନ କରାଯାଇଥିଲା। ଏହିସବୁ ଗୃହ ୩୧୦ ଏକର ଜମିରେ ନିର୍ମାଣ କରାଯାଇଥିଲା । ଏହି ଅଫିସ ଯୋଗୁଁ ହାଉସିଂ ବୋର୍ଡ଼ ତାର ଆର୍ଥିକ ସ୍ଥିତି କୁ ସୁଧାର ଆଣି ପାରିଥିଲା ।କିନ୍ତୁ ଗତ ୧୫ ବର୍ଷ ହେବ ଏହି ଅଫିସ ରେ ଅଫିସର ଓ ତଳ କର୍ମଚାରୀ ମାନଙ୍କ ମରୁଡି ପଡ଼ିଯାଇଥିବା ପରିଲକ୍ଷିତ ହେଉଛି ।ଅଫିସର ମାନଙ୍କୁ ୬ ମାସ ପାଇଁ ଆଣି ପୁନ୍ନର୍ବାର ଭୁବନେଶ୍ୱର ଅଫିସକୁ ଫେରାଇ ନିଆଯାଉଛି । ୨ ଗୋଟି ବହୁତଳ ଅଟ୍ଟାଳିକା ତିଆରି ହେବାର ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହା  ଆରମ୍ଭ ହୋଇପାରୁନାହିଁ । ରାଉରକେଲାରେ ବାସ ଗୃହର ପ୍ରଚୁର ଚାହିଦା ଥିଲାବେଳେ ଖାଲିଜାଗାରେ ପ୍ରକଳ୍ପ ନ କରିବା ରାଉରକେଲା ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

 ରାଉରକେଲାର ଗୃହ ମାଲିକମାନେ ବିଭିନ୍ନ କାମ ପାଇଁ ଭୁବନେଶ୍ୱରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି ଓ  ଭୁବେନେଶ୍ୱର ଠାରେ କିରାଣୀ ମାନେ ଉତ୍କୋଚ ନ ନେଲେ କାମ କରୁନାହାନ୍ତି । ଏ ମଧ୍ୟରେ ୫୦୦ ରୁ ଉର୍ଦ୍ଧ୍ବ ଗୃହମାଲିକ ମାନେ ରାଉରକେଲା ଅଫିସ ମାଧ୍ୟମରେ ଲିଜ ଦଲିଲ କରିବାପାଇଁ ଆବେଦନ କରୁଥିଲେ ମଧ୍ୟ ଏ ପଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ ।

ଏ ସମ୍ପର୍କରେ ଶ୍ରୀ ରାୟ ଦୃଷ୍ଟିଦେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବାକୁ କହିଥିଲେ। ବିଭିନ୍ନ ଅନୁଷ୍ଠାନ ଯଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ଓଡ଼ିଶା ଷ୍ଟେଟ ହାଉସିଙ୍ଗ ବୋର୍ଡ ଲ୍ୟାଣ୍ଡ ଆଣ୍ଡ ହାଉସ ଓନର ଆସୋସିଏସନ୍ ତଥା ସଚେତନ ନାଗରିକ ମଞ୍ଚର ସଭାପତି ଵିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ମୁଖପାତ୍ର କୁଞ୍ଜବିହାରୀ ରାଉତ, ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ ର ମୁଖ୍ୟ ହରିହର ରାଉତରାୟ, ଶମ୍ଭୁନାଥ ପରିଡା, ଉଗ୍ରସେନ ବିଶ୍ବାଳ, ସରୋଜ ବେହେରା, ଜଗନ୍ନାଥ ରାଉତ, ସୁନିଲ ସାମଲ, ହୃଦାନନ୍ଦ ଯାଦବ, ଶ୍ରୀକାନ୍ତ ଦାସ ସମେତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *