ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସଂଖ୍ୟାବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ପରାମର୍ଶ
ଭୁବନେଶ୍ୱର,୦୮/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସ୍ଥିତି, ସେମାନଙ୍କର ସଂଖ୍ୟା ବୃଦ୍ଧି ଓ ସାଂଗଠନିକ ସୁଦୃଢ଼ କରିବା ସହିତ ସେମାନଙ୍କ ଦ୍ୱାରା ସେବା ପ୍ରଦାନ ସଂପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ବିଭିନ୍ନ ଜନ ଗହଳିପୂର୍ଣ୍ଣ ଶିଳ୍ପାଞ୍ଚଳ ଓ ସହରରେ ଅଧିକ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମୁତୟନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ବିଭାଗ ଡଃ. ସୁଧାଂଶୁ ଷଡଙ୍ଗୀ, ଓସଡମା ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ. କମଳ ଲୋଚନ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କସହିତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମାନଙ୍କର ସ୍ଥିତି ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଛି।
ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ଜନସାଧାରଣଙ୍କୁ ସାହାଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ପ୍ରାଥମିକ ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର, ଅଗ୍ନିଶମ ସେବାରେ ସହାୟତା , ସ୍ଥାନାନ୍ତର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସାହାଯ୍ୟ କରି କ୍ଷୟକ୍ଷତିକୁ ହ୍ରାସ କରିବା, ଜୀବନ ବଞ୍ଚାଇବା ଏବଂ ସଙ୍କଟ ସମୟରେ ସାମୂହିକ ସ୍ଥିରତା ବଜାୟ ରଖିବାରେ ପ୍ରମୁଖ ଯୋଗଦାନ କରିଥାନ୍ତି ।
ସେହିପରି ବିପର୍ଯ୍ୟୟ ସମୟରେ ଆଗଧାଡ଼ିରେ ରହି ସାହାଯ୍ୟ କରିଆସିଥିବା ଆପଦ ମିତ୍ର ମାନଙ୍କ ଭୂମିକାକୁ ପ୍ରଶଂସା କରାଯିବା ସହିତ ଆବଶ୍ୟକ ସମୟରେ ସେମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସମେତ, ଜାତୀୟ ସେବା ସଂସ୍ଥା(ଏନଏସ୍ଏସ),ସମର ଶିକ୍ଷାର୍ଥୀ ବାହିନୀ, ନେହେରୁ ଯୁବକେନ୍ଦ୍ର, ସେଣ୍ଟ ଜୋନ ଆମ୍ବୁଲାନ୍ସ ଭଳି ସଂସ୍ଥା ସହ ବୈଠକ କରି ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମନ୍ୱୟକୁ ଅଧିକ ସୁଦୃଢ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ସେହିପରି ବିଭିନ୍ନ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଓ ଜନସଂଖ୍ୟା ବହୁଳ ସ୍ଥାନରେ ଜନସାଧାରଣଙ୍କୁ ସତର୍କ ମୂଳକ ସୂଚନା ଦେବାକୁ ସାଇରନ୍ ବ୍ୟବସ୍ଥା ରଖିବାକୁ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ସଂକଟ ଜନକ ସମୟକୁ ସୁଯୋଗ ଓ ଆହ୍ୱାନ ବୋଲି ମନେ କରି ନିଜକୁ ପ୍ରସ୍ତୁତ ରଖିବା ସଙ୍ଗେ ସଙ୍ଗେ ଜନ ସଚେତନତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଗୁରୁତ୍ୱାରୋପ କରି ସେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସଂପର୍କରେ ପରାମର୍ଶ ଦେଇଥିଲେ ।
-0-
ପଠାଣି ରାଉତ,ମୁଖ୍ୟଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
