ଯାଜପୁର, ୩୦/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପବିତ୍ର ଅକ୍ଷୟ ତୃତୀୟ ଦିବସ ଅବସରରେ ପଣସା ଗ୍ରାମର ଗ୍ରାମପଞ୍ଚାୟତ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଓଡ଼ିଶାର ସମଗ୍ର ଚାଷ ଭାରତୀୟ ସଂସ୍କୃତି ସହିତ ଜଡ଼ିତ।

ଆଜିର ଦିନରେ ଚାଷୀ ଭାଇ ମାନେ ଧାନ ବୁଣିବେ ଏବଂ ଆମ୍ଭ ମାନଙ୍କୁ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଦେବେ। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ଭାବେ ଗଢିତୋଳିବାକୁ ଆମର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭାରତକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଯେଉଁଥିରେ କୃଷକ ସଶକ୍ତିକରଣ ଅନନ୍ୟ ଅଟେ। ବିକଶିତ ଭାରତ ଗଠନ କରିବାକୁ ହେଲେ ପ୍ରଥମେ ଚାଷୀ ଭାଇଙ୍କୁ ସୁଦୃଢ କରିବାକୁ ପଡ଼ିବ ଏବଂ କୃଷିକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ।
କୃଷକ ମାନଙ୍କ ନିମିତ୍ତ ପ୍ରଣୀତ ସମସ୍ତ ସରକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଦରକାର ଏବଂ ଚାଷୀ ଭାଇମାନଙ୍କ ପାଖରେ ପହଞ୍ଚିବା ଦରକାର ଯାହା ଫଳରେ ସେମାନେ ଉପକୃତ ହୋଇପାରିବେ। ଏହି ପବିତ୍ର ଦିବସରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ କହିଲେ ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ମୁଁ ଆଶା କରୁଛି ଏହି ବର୍ଷ ଆମ ଜିଲ୍ଲାରେ ତଥା ରାଜ୍ୟରେ ବହୁତ୍ ଭଲ ଫସଲ ହେଉ ଏବଂ ବର୍ଷା ମଧ୍ୟ ହେଉ ଯାହା ଫଳରେ ଚାଷୀମାନେ ଭଲ ଫସଲ ପାଇପାରିବେ ଏବଂ ଉପକୃତ ହୋଇପାରିବେ।
କୃଷକ ମାନଙ୍କ ପାଇଁ ସରକାରଙ୍କ ପ୍ରଣୀତ ବିଭିନ୍ନ ଯୋଜନା କିପରି ସେମାନଙ୍କ ନିକଟରେ ସହଜରେ ପହଞ୍ଚି ପାରିବ ଏବଂ ପ୍ରତିଟି ଯୋଜନା ବିଷୟରେ ସେମାନେ ଅବଗତ ହୋଇପାରିବେ ସେଥିପ୍ରତି ଆମେ କାର୍ଯ୍ୟ କରିବୁ। ଜୈବିକ ପଦ୍ଧତିରେ କମ୍ ସାର ପ୍ରୟୋଗ କରି କିପରି ଭଲ ଫସଲ ଉତ୍ପାଦନ କରାଯାଇପାରିବ ଏଥି ପ୍ରତି ମଧ୍ୟ ସରକାର ବିଶେଷ ଧ୍ୟାନ ଦେଉଛନ୍ତି।
ଉକ୍ତ ଦିବସରେ ଯୋଗଦେଇ ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ ସମସ୍ତଙ୍କୁ ପବିତ୍ର ଅକ୍ଷୟ ତୃତୀୟା ଦିବସର ଶୁଭେଚ୍ଛା ଜଣାଇବା ସହ କହିଲେ ପବିତ୍ର ଅକ୍ଷୟ ତୃତୀୟା ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ପାରମ୍ପରିକ ପର୍ବ ସମସ୍ତ ଚାଷୀ ଭାଇ ମାନେ ଆଜି ଏହି ପର୍ବ ପାଳନ କରୁଛନ୍ତି। ଆଜିର ଦିନରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଅକ୍ଷୀ ମୁଠି ବୁଣାଯାଏ। ମୁଁ ଆଶା କରିବି ଏ ବର୍ଷ ବହୁତ ଭଲ ଫସଲ ହେଉ ଏବଂ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟୁ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ବେହେରା ଯୋଗଦେଇ କହିଲେ ଯେପରି ସମସ୍ତ କୃଷି ସାମଗ୍ରୀ ଚାଷୀ ଭାଇଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବୁ। ଯାଜପୁର ଜିଲ୍ଲାରେ କୃଷି ବିଦ୍ୟାନିଧି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ କ୍ଷେତ୍ରରେ ପାଠ ପଢୁଛନ୍ତି ତନ୍ମଧ୍ୟରୁ ୧୨୩୮ ଜଣ ଉପକୃତ ହୋଇ ୫ କୋଟି ୧୭ ଲକ୍ଷ୍ୟ ଟଙ୍କା ପାଇ ପାରୁଛନ୍ତି। ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ସି.ଏମ କିଷାନ୍ ସହାୟତା ରାଶି ପ୍ରଦାନର ସିଧା ପ୍ରସାରଣ କରାଯାଇଥିଲା।
ଯାଜପୁର ଜିଲ୍ଲାରେ ୨୩୭୮୯୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୨୧୭୦ ଜଣ ଭୂମିହୀନ କୃଷି ଶ୍ରମିକ ସି. ଏମ କିସାନ ସହାୟତା ରାଶି ପାଇଛନ୍ତି। ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀ,କୋରେଇ ବ୍ଲକର ଅଭିମନ୍ୟୁ ସାହୁ, ଦଶରଥପୁରର ରଜତ ମହାପାତ୍ର, ବରୀ ବ୍ଲକର ଶୈଳବାଳା ଦାସ, ରସୁଲପୁର ବ୍ଲକର ତପନ ମହାରଣା, ଯାଜପୁର ବ୍ଲକର ସୁଧୀର କୁମାର ଧଳ, ଧର୍ମଶାଳା ବ୍ଲକର ଅକ୍ଷୟ କୁମାର ମିଶ୍ର, ସୁକିନ୍ଦା ବ୍ଲକର ଜଗବନ୍ଧୁ ତରାଇ, ଦାନଗଦି ବ୍ଲକର ରାମଚନ୍ଦ୍ର ସାହୁ, ବିଂଝାରପୁର ବ୍ଲକର ଗଜେନ୍ଦ୍ର ମଲ୍ଲିକ, ବଡ଼ଚଣା ବ୍ଳକର ଦିଲୀପ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିଲେ।
ଉକ୍ତ ଦିବସରେ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ସରପଞ୍ଚ ପଣସା ଶ୍ରୀ କୁଳମଣି ପରିଡ଼ା, ସମସ୍ତ କୃଷି ଓ ଆନୁଷଙ୍ଗିକ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ କର୍ମକର୍ତ୍ତା, ବିଭିନ୍ନ ବ୍ଲକ୍ ରୁ ଆସିଥିବା କୃଷକ ମାନେ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।
ବରିଷ୍ଠ କୃଷିବିତ୍ ତଥା ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
