“ସୁଭଦ୍ରା”ସୋସାଇଟି ପରିଚାଳନା ପରିଷଦ ର ତୃତୀୟ ବୈଠକ ଅନୁଷ୍ଠିତ

ସୁଭଦ୍ରା ହିତାଧିକାରୀଙ୍କ ସମ୍ପର୍କରେ ସର୍ବେକ୍ଷଣରେ ସାମିଲ ହେବେ ମହାବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର,୧୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  “ସୁଭଦ୍ରା”ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକ ଆଜି ଅପରାହ୍ଣରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

          ଅନୁଷ୍ଠିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ଏସ୍ ଗୋପାଳନଙ୍କ ସମେତ ସୁଭଦ୍ରା ସୋସାଇଟି ର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

          ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ କମିଟିରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବୈଠକରେ ୨୦୨୪-୨୫ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବଜେଟ୍ ବ୍ୟବସ୍ଥା ଅନୁସାରେ ଅଦ୍ୟାବଧି କରାଯାଇଥିବା ଖର୍ଚ୍ଚ ସଂପର୍କରେ ଆଲୋଚନା କରାଯାଇ ଅନୁମୋଦନ କରାଯିବା ସହ ୨୦୨୫-୨୬ବର୍ଷ ପାଇଁ ଆଗତ ପ୍ରସ୍ତାବକୁ ସମୀକ୍ଷା ପୂର୍ବକ ଅନୁମୋଦନ କରାଯାଇଛି ।ସୁଭଦ୍ରା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ  ଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ଏଥିପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ କରାଯାଇଥିବା ଖର୍ଚ୍ଚ ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା।

          ଯେଉଁ ହିତାଧିକାରୀମାନେ ପ୍ରଥମେ ସୁଭଦ୍ରା ସହାୟତା ପାଇଁ ପଂଜୀକରଣ କରିଥିଲେ, କିନ୍ତୁ ପଂଜୀକରଣ ପରେ ସେମାନେ ହୃଦୟଙ୍ଗମ କଲେ ବା ଜାଣିବାକୁ ପାଇଲେ ଯେ , ଏହି ସହାୟତା ପାଇବା ପାଇଁ ସେମାନେ ଯୋଗ୍ୟନୁହନ୍ତି ବା ପୂର୍ବରୁ ଯୋଗ୍ୟ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ବର୍ଗରେ ଆସୁଥିବା ଜାଣି ସେମାନେ ସୁଭଦ୍ରା ପୋର୍ଟାଲ୍ ରେ ସହାୟତା ନ ନେବା ପାଇଁ ଅପ୍ଟ ଆଉଟ୍ କରିଛନ୍ତି ବା ସ୍ୱେଚ୍ଛାକୃତ ଭାବେ ମନା କରିଛନ୍ତି, ସେମାନଙ୍କର ଏହି ପଦକ୍ଷେପ ଯୋଗୁଁ ଅନ୍ୟ ଯୋଗ୍ୟ ହିତାଧିକାରୀ ସୁବିଧା ପାଉଛନ୍ତି, ସେ କ୍ଷେତ୍ରରେ ଅପ୍ଟ ଆଉଟ୍ କରିଥିବା ମହିଳାମାନଙ୍କୁ “ସାବାସ୍ ସୁଭଦ୍ରା”ଆଖ୍ୟା ଦିଆଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

          ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ସୁଭଦ୍ରାର  ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ ଆଇଆଇଏମ, ସମ୍ବଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଇଆଇଏମ, ସମ୍ବଲପୁରର ସହାୟତାରେ ହିତାଧିକାରୀମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ସର୍ବେକ୍ଷଣରେ ମହାବିଦ୍ୟାଳୟର ବାଳିକାମାନଙ୍କୁ ସାମିଲ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

          ସୁଭଦ୍ରା ପୋର୍ଟାଲରେ ଗ୍ରହଣକରାଯାଇଥିବା ଅଭିଯୋଗ ଓ ସେସବୁ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏସଂପର୍କି ତଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

          ସୁଭଦ୍ରା ସହାୟତା ପରିଚାଳନା ସୁବ୍ୟବସ୍ଥାପାଇଁ  କାର୍ଯ୍ୟକାରୀ ହୋଇଥିବା ସହାୟତାକେନ୍ଦ୍ର (ହେଲ୍ପଡେସ୍କ) ବ୍ୟବସ୍ଥାକୁ  ଆଉ ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏଥିସହିତ ସୁଭଦ୍ରା ହେଲ୍ପଲାଇନ ମଧ୍ୟ ଜାରି ରହିବ।ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ସୁଭଦ୍ରା ସହାୟତା ଫଳରେ କିପରି ଗୁଣାତ୍ମକ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ମୂଲ୍ୟାୟନ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ସୁଭଦ୍ରା ପାଇଥିବା ଯୋଗ୍ୟହିତାଧିକାରୀଙ୍କ ଦକ୍ଷତା ବିକାଶ, ସେମାନଙ୍କୁ ରୋଜଗାର କ୍ଷମ ଓ  ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ନିମନ୍ତେ  ବିଭିନ୍ନ ପରାମର୍ଶ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତିବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହଯୋଗରେ ପ୍ରଶିକ୍ଷଣ ଦିଆଯିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

          ସୁଭଦ୍ରାସହାୟତା ପ୍ରଦାନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼କରିବା, ସୁଭଦ୍ରା ସହାୟତା ହିତାଧିକାରୀଙ୍କ ସଂପର୍କରେ ଅଧିକ ମୂଲ୍ୟାୟନ କରିବା ସହିତ ସେମାନଙ୍କର ଆର୍ଥିକ ତଥା ସାମଗ୍ରିକ ବିକାଶରେ ରାଜ୍ୟ କିପରି ଅଧିକ ଯୋଗଦାନ ଦେଇପାରିବ, ସେ ସମ୍ପର୍କରେ ଉନ୍ନୟନକମିଶନର ଆବଶ୍ୟକ ପରାମର୍ଶ ଦେଇଥିଲେ।

-0-

ପଠାଣି ରାଉତ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *