“ଲେଖକ, ପ୍ରକାଶକ ଓ ପାଠକ ହିଁ ପୁସ୍ତକ ପ୍ରସାର କରିପାରିବେ “
ଭୁବନେଶ୍ୱର,୦୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପାଠକ, ଲେଖକ ଓ ପ୍ରକାଶକଙ୍କ ମଧ୍ୟରେ ତ୍ରିକୋଣୀୟ ସମ୍ପର୍କ ଥାଏ । ସେହି ଦୃଷ୍ଟିରୁ ପୁସ୍ତକ ପ୍ରସାର ଓ ପାଠକ ବୃଦ୍ଧିରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ବୁଦ୍ଧ ମନ୍ଦିରରେ ଶାନ୍ତିସେନା ପ୍ରକାଶନ ଆନୁକୂଲ୍ୟରେ ଆୟୋଜିତ ପୁସ୍ତକ ପର୍ବରେ ୫ ଟି ପୁସ୍ତକ ଲୋକାର୍ପିତ ହୋଇଥିଲା ।
ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ସାହିତ୍ୟିକ ଦାଶ ବେନହୁର, କଥାକାର ସଦାନନ୍ଦ ତ୍ରିପାଠୀ, ଖ୍ୟାତନାମା କବି ରକ୍ଷକ ନାୟକ, ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଓ ପ୍ରଫେସର ଅନନ୍ତ କିଶୋର ଜେନା ବକ୍ତବ୍ୟ ରଖି ପୁସ୍ତକଗୁଡିକର ଆଦୃତି କାମନା କରିଥିଲେ । ବିଶ୍ୱନାଥ ନାୟକଙ୍କ କବିତା ବହି “ଅଳପ ଆଳାପ “, ଅପରାଜିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ ଗଳ୍ପ ବହି “ଶୂନ୍ୟଗର୍ଭା”, କିଶୋର ମହାନ୍ତିଙ୍କ ପ୍ରବନ୍ଧ -ଫିଚର ବହି ” କଥା ବିବିଧ ” ବାସନ୍ତୀ ମହାନ୍ତିଙ୍କ ଉପନ୍ୟାସ “ରାଜଜେମା “, ମଧୁସ୍ମିତା ରଥଙ୍କ ଶିଶୁ ସାହିତ୍ୟ ପୁସ୍ତକ ‘ଆସ ଗଣିତ ପାଠ ପଢିବା’ ଉନ୍ମୋଚିତ ହୋଇଥିଲା ।
ଶାନ୍ତିସେନା ପବ୍ଲିକେସନର ନିର୍ଦେଶକ ରଜତ ରଶ୍ମି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ କବୀ କ୍ଷଣପ୍ରଭା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂର୍ବରୁ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କଵି ସ୍ୱରଚିତ ଲେଖା ପାଠ କରିଥିଲେ ଓ ରଶ୍ମି ସାମଲ ପରିଚାଳନା କରିଥିଲେ ।