ଜଳବାୟୁ ପରିବର୍ତନର ପ୍ରଭାବ ପୃଥିବୀର ସମସ୍ତ ଜୀବନ୍ତ ଓ ନିର୍ଜୀବ ବସ୍ତୁଙ୍କୁ ପ୍ରଭାବିତ କରୁଥିଲେ ମଧ୍ୟ ସବୁଠାରୁ ବେଶି ପ୍ରଭାବିତ ହୁଅନ୍ତି ମାନବ ସମାଜ । ଏଣୁ ଜଳବାୟୁ ପରିବର୍ତନ ରୋକିବାର ଆବଶ୍ୟକତା ମଧ୍ୟ ମାନବ ଜାତି ପାଇଁ ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଉଭୟ ମହିଳା ଓ ପୁରୁଷଙ୍କ ଅବଦାନ ରହିଥିଲେ ମଧ୍ୟ ମହିଳାମାନେ ଯେ ଅଧିକ ସଚେତନ ଓ ଯତ୍ନଶୀଳ, ତାହା ସମସ୍ତେ ମାନିବେ । ସେଥିପାଇଁ କୁହାଯାଏ, ଯେ କୌଣସି କ୍ଷେତ୍ର ହେଉ ନା କାହିଁକି, ଯଦି ପତ୍ୱର୍ତନର ଆବଶ୍ୟକତା ଆସିବ, ମହିଳାମାନେ ହିଁ ବିନ୍ଧାଣୀ ସାଜି ଆଗେଇ ଆସନ୍ତି । ମହିଳାମାନଙ୍କୁ ପରିବର୍ତନର ବାହକ କୁହାଯିବା ପଛରେ କାରଣ ହେଉଛି, ସେମାନେ ଘରର ୭୦%ରୁ ୮୦% କାର୍ଯ୍ୟ ସମ୍ପାାଦନ କରନ୍ତି । ଗୋଟିଏ ଘରର ଚଳଣି ବ୍ୟୟ ଅଟକଳ ସେମାନଙ୍କ ଅଭ୍ୟାସ, ବୁଝାମଣା ଓ ଉପସ୍ଥିତ ବୁଦ୍ଧି ଉପରେ ନିର୍ଭରଶୀଳ ।
ମହିଳାମାନେ ହିଁ ଚାହିଁଲେ ଖର୍ଚ୍ଚକାଟ, ପୁନର୍ବ୍ୟବହାର ଏବଂ ଅପଚୟ ବନ୍ଦ କରି ପରିବର୍ତନର ସୂତ୍ରଧର ସାଜି ପାରିବେ । ଚିନ୍ତା କରନ୍ତୁ, ଯଦି ପ୍ରତ୍ୟେକ ଘରର ମହିଳାମାନେ ଏ ଦିଗରେ ସଚେତନ ହେବେ, ପରବର୍ତୀ ସମୟରେ ଘର, ପରିବେଶ ଓ ସମାଜ ନିଶ୍ଚୟ ସୁସ୍ଥ ଏବଂ ସବୁଜ ହୋଇ ପାରିବ । ଜଳବାୟୁ ପରିବର୍ତନକୁ ମହିଳାମାନେ କେମିତି ପ୍ରଭାବିତ କରନ୍ତି, ଆସନ୍ତୁ ଜାଣିବା । ମହିଳାମାନେ ଘର ଭିତରେ ରହି ପାଣି, ଇନ୍ଧନ ଏବଂ ଖାଦ୍ୟ ଅପଚୟକୁ ହ୍ରାସ କରି ପାରିବେ । ଘରେ ତଥା ରୋଷେଇ ଘରେ ଅଧିକରୁ ଅଧିକ ଉଦ୍ଭିଦଜାତ ବସ୍ତୁର ବ୍ୟବହାର, ଜୈବିକ ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟପଦାର୍ଥ ଚୟନ କରି ଖାଦ୍ୟ ଅପଚୟକୁ ରୋକିବା ସହ ଘରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ଠିକ୍ ରୂପେ ପରିଚାଳନା କଲେ ଯେଉଁ ପରିବର୍ତନ ଆସିବ, ତାହା ଜଳବାୟୁ ପରିବର୍ତନରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ଗ୍ରାମୀଣ ମହିଳାମାନଙ୍କ କଥା ଯଦି ଆଲୋଚନା ପରିସରକୁ ଆସେ, ଦେଖାଯାଏ ଯେ ସେମାନେ ଘର ପାଇଁ ଦୂର ବାଟ ଯାଇ ପାଣି, ଖାଦ୍ୟ ଓ ଜାଳେଣି ସଂଗ୍ରହ କରିବାର ଦାୟିତ୍ୱ ନିର୍ବାହ କରନ୍ତି । ବର୍ଷ ତମାମ ଖରା, ବର୍ଷା ହେଉ ବା ଶୀତ – ସେମାନଙ୍କୁ ଏହା କରିବାକୁ ହୁଏ । ଏଣୁ ଯେତେବେଳେ ଜଳବାୟୁ ପରିବର୍ତନ ହୁଏ, ତା’ର ପ୍ରଭାବ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ଉପରେ ବେଶି ପଡ଼େ, ଯାହା ଶିଶୁମାନଙ୍କ ସ୍ୱାସ୍ଥ୍ୟ ସହ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ତଥ୍ୟ କୁହେ ଯେ ଜଳବାୟୁ ପରିବର୍ତନର ପ୍ରଭାବ ପୁରୁଷମାନଙ୍କ ଅପେକ୍ଷା ମହିଳା ଓ ଶିଶୁଙ୍କ ଉପରେ ୧୪ ଗୁଣା ଅଧିକ ପ୍ରଭାବ ପଡ଼ିଥାଏ । ସେଥିପାଇଁ ମହିଳାମାନେ ସଶକ୍ତ ଏବଂ ସଚେତନ ହେଲେ ଏହି ପରିବର୍ତନକୁ ରୋକିବା ସମ୍ଭବ ହେବ । ଖାଦ୍ୟ ଉତ୍ପାଦନ କଥା ନିଆଯାଉ । ଏଥିରେ ମହିଳାମାନଙ୍କର ୮୦% ଯୋଗଦାନ ରହିଥାଏ । ଚାଷ ଜମିରେ ଫସଲ ରୋପଣ, ଅମଳ, ଶ୍ରମିକ ରୂପେ କ୍ଷେତରେ କାମ କରିବା, ଖାଦ୍ୟ ସଂରକ୍ଷଣ ଆଦିରେ ସକ୍ରିୟ ଭୂମିକାରେ ରୁହେ ।
ମାତ୍ର ମହିଳାଙ୍କ ପାଖରେ ଜମି ଅଧିକାର ଓ ଋଣଠାରୁ ଆରମ୍ଭ କରି ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟାର ଅଭାବ ଦେଖାଯାଏ । ଯଦି ପୁରୁଷମାନଙ୍କ ଭଳି ସମାନ ଉତ୍ପାଦନ ସଂସାଧନ ମହିଳାଙ୍କୁ ଯୋଗାଇ ଦିଆଯାଏ, ତେବେ ଉତ୍ପାଦନ ବଢ଼ିବା ସହ କୃଷି ଜମି ପାଇଁ ବୃକ୍ଷ କଟାକୁ ରୋକାଯାଇ ପାରନ୍ତା, ଯାହା ଜଳବାୟୁ ପରିବର୍ତନର ସବୁଠାରୁ ବଡ଼ କାରକ । ଗବେଷଣାରୁ ଜଣାପଡ଼ିଛି ଯେ ମହିଳାମାନେ ନେତୃତ୍ୱ ନେବା ଏବଂ ଜଳବାୟୁ ପରିବର୍ତନ ଭିତରେ ବଡ଼ ଗଭୀର ସମ୍ପର୍କ ରହିଛି । ଯେଉଁ ଦେଶଗୁଡ଼ିକର ସଂସଦରେ ମହିଳାଙ୍କ ସଂଖ୍ୟା ଅଧିକ, ସେଠି ଅନ୍ତଃରାଷ୍ଟ୍ରୀୟ ପରିବେଶ ସନ୍ଧିଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରିବା ଏବଂ ଜଳବାୟୁ ନୀତି ଆପଣେଇ ନେବାର ସମ୍ଭାବନା ଅଧିକ ରହିଥାଏ । ପୁନର୍ନବୀକରଣୀୟ ଊର୍ଜା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ମଧ୍ୟ କିଛି କମ୍ ନୁହେଁ । ଉଦାହରଣ ସ୍ୱରୂପ, ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ୪୦% ରହିଥିବା ବେଳେ ତୈଳ ଓ ଗ୍ୟାସରେ ଏହା ୨୨% । ଏଣୁ ସମୟ ଆସି ଯାଇଛି, ମହିଳାଙ୍କୁ ଜଳବାୟୁ ପରିବର୍ତନ ନିମନ୍ତେ ଏକ ସଶକ୍ତ ଶକ୍ତି ରୂପେ ସାମିଲ କରାଯିବା ଉଚିତ, ଆଉ ଏହାର ଅୟମାରମ୍ଭ ପ୍ରତିଟି ମହିଳା ନିଜ ଘରୁ ଆରମ୍ଭ କରି ପାରିବେ ।
କିପରି? ପ୍ଲାଷ୍ଟିକର ବ୍ୟବହାର ଯଥା ସମ୍ଭବ କମ୍ କରିବେ; ଷ୍ଟିଲ, ଲୁହା, ପିତଳ ବା କଂସା ବାସନର ଅଧିକ ବ୍ୟବହାର କରିବେ । ବାଡ଼ି ବଗିଚା, ଛାତ, ବାଲକୋନୀ ବା କୁଣ୍ଡରେ ଅଳ୍ପ ହେଉ ପଛକେ କିଛି ନା କିଛି ଚାଷ କରି ଜୈବିକ ସାର ପ୍ରୟୋଗ କରି ପନି ପରିବା ଲଗେଇବେ । ବର୍ଜ୍ୟବସ୍ତୁର ସଠିକ୍ ବ୍ୟବହାର ଏବଂ ଖାଦ୍ୟ, ଜଳ ଓ ଇନ୍ଧନ ସଂଚୟ କରି ସେମାନେ ପ୍ରତ୍ୟେକେ ଜଣେ ଜଣେ ପ୍ରକୃତି ଯୋଦ୍ଧା ସାଜି ପାରିବେ । ଅଗଣା, ବାଡ଼ି, ନିଜ ଆଖପାଖରେ କେବଳ ବୃକ୍ଷ ରୋପଣ ପାଇଁ ବ୍ରତୀ ହେବେନାହିଁ, ବରଂ ଗଛଗୁଡ଼ିକୁ ବଂଚେଇବାର ଦାୟିତ୍ୱ ବି ବହନ କରିବେ । କିଛି କିଣାକିଣି ପାଇଁ ଯାଉଥିଲେ ସାଙ୍ଗରେ ବ୍ୟାଗ୍ କିମ୍ବା ଟିଫିନ ନେଇ ଯିବେ । ପିଲାଙ୍କୁ ମଧ୍ୟ କମ୍ ରୁ କମ୍ ପ୍ଲାଷ୍ଟିକ ବ୍ୟବହାର ବିଷୟରେ ଅବଗତ କରିବେ ।

କୁହାଯାଏ, ମହିଳାମାନେ ସବୁବେଳେ ପ୍ରକୃତି ସହ ଜଡ଼ିତ, କାରଣ ଭୂମି, ଜଳ, ଜଙ୍ଗଲ, ବନ୍ୟପ୍ରାଣୀ ଭଳି ପ୍ରାକୃତିକ ସାଧନ ସହ ସେମାନଙ୍କ ସମ୍ପର୍କ ଗଭୀର । ଏହି ପରିପ୍ରେକ୍ଷୀରେ ପ୍ରକୃତି ଯୋଦ୍ଧା ସାଜିଥିବା କିଛି ମହିଳାଙ୍କ ଉଦାହରଣ ନଦେଲେ ଏଇ ଲେଖାଟି ଅସମ୍ପୂର୍ଣ୍ଣ ମନେ ହେବ । ହିମାଚଳ ପ୍ରଦେଶର କିଙ୍କରି ଦେବୀ, ଯିଏ ଗୁଣ୍ଡ ପଥର ଖନନକୁ ବିରୋଧ କରି ସ୍ଥାନୀୟ ପରିବେଶକୁ ସୁରକ୍ଷିତ ରଖି ପାରିଲେ । ତାଙ୍କ ସ୍ୱର ଉଠିବା ପରେ ଖଚ୍ଚି ମାଲିକଙ୍କ ଉପରେ ମୋକଦ୍ଧମା କରାଗଲା ।

କର୍ଣ୍ଣାଟକର ତୁଳସୀ ଗୌଡ଼ଙ୍କୁ କିଏ ଅବା ନ ଜାଣେ! ତାଙ୍କୁ ‘ଜଙ୍ଗଲ ଏନସାଇକ୍ଲୋପିଡିଆ’ ନାମରେ ସମସ୍ତେ ଜାଣନ୍ତି । ୭୮ ବର୍ଷ ବୟସରେ ମଧ୍ୟ ସେ ଲୋକଙ୍କ ସହ ମିଶି ଜଙ୍ଗଲ ସୁରକ୍ଷାରେ ଲାଗି ପଡ଼ିଛନ୍ତି । ଚିପ୍କୋ ଆନ୍ଦୋଳନ ସମୟରେ ଗୌରା ଦେବୀ ସ୍ଥାନୀୟ ମହିଳାଙ୍କୁ ଏକତ୍ରିତ କରି ସଂଗଠନ କଲେ । ଗଛ କଟାଳିମାନେ ଆସିବା ସମୟରେ ସମସ୍ତେ ଗୋଟିଏ ଲେଖାଏଁ ଗଛକୁ କୁଣ୍ଢାଇ ଧରି ରଖିବାରୁ ଗଛ ନ କାଟି ସେମାନେ ଫେରିଗଲେ ।
ମହାରାଷ୍ଟ୍ରର ମହିଳା କୃଷକମାନେ ଜୈବିକ ଚାଷ ପ୍ରଣାଳୀ ବ୍ୟବହାର କରି ଅନୁର୍ବର ଜମିକୁ ଉତ୍ପାଦନକ୍ଷମ କରିଛନ୍ତି । ରାଜସ୍ଥାନରେ ବର୍ଷା ଜଳ ସଂଗ୍ରହ କରି ସ୍ୱଚ୍ଛ ଶୁଷ୍କ ଅଞ୍ଚଳଗୁଡ଼ିକୁ ଜଳସେଚନ ଦ୍ୱାରା ଉତ୍ପାଦନକ୍ଷମ କରାଯାଉଛି । କେରଳର ମହିଳାମାନେ ପ୍ଲାଷ୍ଟିକମୁକ୍ତ ଏବଂ କମ୍ପୋଷ୍ଟ ବ୍ୟବହାର କରି ବାତାବରଣକୁ ସ୍ୱଚ୍ଛ ରଖି ପାରିଛନ୍ତି । ଏସବୁ ଉଦାହରଣ ସମଗ୍ର ମାନବ ଜାତି ପାଇଁ ଗୋଟିଏ ଗୋଟିଏ ପ୍ରେରଣାର ଉତ୍ସ ଏବଂ ମହିଳାଙ୍କ ପ୍ରକୃତ ଶକ୍ତିର କଥା କହୁଛି । ଆଗକୁ ବିଶ୍ୱ ଜଳବାୟୁ ଯେଉଁ ସଂଘର୍ଷଗୁଡ଼ିକର ସାମ୍ନା କରିବ, ସେ ଦିଗରେ ମହିଳାଙ୍କ ଅବଦାନ ବହୁତ ଗୁରୁତ୍ୱପୂର୍ଣ୍ଣ । ପରିବେଶ ସୁରକ୍ଷା ଦିଗରେ ମହିଳାମାନଙ୍କର ପ୍ରୟାସକୁ ଚିହ୍ନିବା ଏବଂ ତାଙ୍କୁ ସମର୍ଥନ କରିବାର ସମୟ ଆସି ଯାଇଛି । ସେମାନଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ଆପଣେଇ ନେଲେ ଆମେ ଏକ ସୁରକ୍ଷିତ ଭବିଷ୍ୟତ ଆମ ପର ପିଢ଼ିଙ୍କୁ ଭେଟି ଦେଇ ପାରିବା । ମହିଳାଙ୍କୁ ସେହି ସ୍ୱାଧୀନତା ପ୍ରଦାନ କଲେ ହିଁ ସେମାନେ ସଶକ୍ତ ହେବେ ଏବଂ ସକାରାତ୍ମକ ଜଳବାୟୁ ପରିବର୍ତନ ଆଣିବାରେ ସଫଳ ହେବେ ।
-୦-
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮
