ଭୁବନେଶ୍ୱର,୧୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ମାର୍ଚ୍ଚ ମାସ ୧୮ ତାରିଖରେ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ମୁମ୍ବାଇର ବାନ୍ଦ୍ରାରେ ରଙ୍ଗଶାରଦା ଅଡିଟୋରିୟମରେ ପୁରସ୍କାର ବିଚରଣ ଉତ୍ସବ ଅନୁଷ୍ଠିତ ହେଇଥିଲା ।ଏହି ଉତ୍ସବରେ ମୂଖ୍ୟ ଅତିଥି ରୂପେ ସାଂସ୍କୃତିକ ମନ୍ତ୍ରୀ ମାନନୀୟ ଶ୍ରୀ ଆଶିଷ ଶେଲାର, ମୂଖ୍ୟ ସଚିବ ଶ୍ରୀ ବିକାଶ ଖାରଗେ ,ପୂର୍ବ ରାଜ୍ୟମନ୍ତ୍ରୀ ମାନନୀୟ ଅମରଜିତ୍ ମିଶ୍ର, ସାହିତ୍ୟ ଏକାଡେମି ଅଧକ୍ଷ ଡଃ ଶୀତଳା ପ୍ରସାଦ ଦୁବେ, ଉପାଧ୍ୟକ୍ଷ ଶ୍ରୀମତୀ ମଞ୍ଜୁ ଲୋଡା, ବରିଷ୍ଠ ଲେଖକ ସୁଧାକର ମିଶ୍ର ଓ ବିମଳ ମିଶ୍ର ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ପାରମିତାଙ୍କର ହିନ୍ଦୀ ଗଳ୍ପ ସଂକଳନ “ ସମ୍ୱିତ କେ ପାସ ଜବ ମେ ନହିଁ ଥି” କୁ ୨୦୨୫ ମସିହାରେ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମି ତରଫରୁ “ମୁନସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର” ପ୍ରଦାନ କରା ଯାଇଛି । ଲକ୍ଷ୍ନୌର ଶତରଙ୍ଗ ପ୍ରକାଶନ ଦ୍ଵାରା ପ୍ରକାଶିତ ଏହି ଗଳ୍ପ ସଙ୍କଳନରେ ୧୩ ଟି କାହାଣୀ ପ୍ରକାଶିତ।
ପାରମିତା ଷଡ଼ଙ୍ଗୀ ଉଭୟ ଓଡ଼ିଆ ଓ ହିନ୍ଦୀ ରେ ଲେଖନ୍ତି। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ,ଯେକି ଅନ୍ୟ ରାଜ୍ୟର ସାହିତ୍ୟ ଏକାଡେମି ପୁରସ୍କାର ପାଇଛନ୍ତି। ପାରମିତା ଷଡ଼ଙ୍ଗୀ ଓଡିଶାର ସୁପ୍ରସିଦ୍ଧ କବି ଡଃ ବଂଶୀଧର ଷଡ଼ଙ୍ଗୀଙ୍କର କନ୍ୟା । ତାଙ୍କର ହିନ୍ଦୀ ଓ ଓଡ଼ିଆ ଭାଷାରେ ଏପର୍ଯ୍ୟନ୍ତ ୧୬ଟି ବହି ପ୍ରକାଶିତ।
ତାଙ୍କର ହିନ୍ଦୀରେ ରଚିତ “ଇଜ୍ୟା” ପାଠକଙ୍କ ଦ୍ଵାରା ବହୁଳ ଆଦୃତ ଓ ଅନେକ ପୁରସ୍କାରରେ ପୁରସ୍କୃତ କବିତା ସଂଗ୍ରହ ।“ଇଜ୍ୟା” ଗୁଜୁରାତି ଭାଷାରେ ଅନୁବାଦ ହେଇ ‘ଗୁଜୁରାତି ସାହିତ୍ୟ ଏକାଡେମି ‘ ଓ ମରାଠୀ ଭାଷାରେ ଅନୁବାଦ ହେଇ ‘ଗ୍ରନ୍ଥରତ୍ନ,’ ‘ଅଗ୍ରୱାନ’, ‘ୟସୋବନ୍ତ ‘ରାଓ ଦାତେ’ ଓ ‘ ଯୁଗ ପ୍ରବର୍ତ୍ତକ’ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ହେଇଛି । ପାରମିତାଙ୍କ କବିତା ଓ କାହାଣୀ ମରାଠୀ, ଗୁଜୁରାତି, ରାଜସ୍ଥାନୀ, ବଙ୍ଗଳା, ତେଲଗୁ, ତାମିଲ, ପଞ୍ଜାବୀ, ହିନ୍ଦୀ, ଇଙ୍ଗଲ୍ସ ଓ ଓଡ଼ିଆ ଭାଷାରେ ଅନୁବାଦ ହେଇ ଦେଶ ବିଦେଶରେ ପ୍ରକାଶିତ ହେଇଛି।
ଓଡ଼ିଆ ଭାଷା ସାହିତ୍ୟରେ ଜଣେ ନିଆରା ଶବ୍ଦଶିଳ୍ପୀ ପାରମିତା ଷଡ଼ଙ୍ଗୀ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଗଳ୍ପ, କବିତା, ଅନୁବାଦ ସାହିତ୍ୟ। କେବଳ ଏତିକି ନୁହେଁ ଜଣେ ସମୀକ୍ଷୀକା ଭାବରେ ମଧ୍ୟ ସେ ବେଶ ସୁପରିଚିତ ।
ପାରମିତା ଜଣେ ଜୀବନବାଦୀ ଗାଳ୍ପିକା । ସଂପର୍କ ଓ ଜୀବନ ବଞ୍ଚିବାର ବିଭିନ୍ନ ଦିଗ ଉପରେ ତାଙ୍କର ଗପ ଗୁଡିକ ପର୍ଯ୍ୟବେଶିତ । ବଳିଷ୍ଠ ବିଷୟବସ୍ତୁ ସହ କଥନଶୈଳୀରେ ସାବଲୀଳତା ମାନବ ଅସହାୟତାର କାୟାବିସ୍ତାରକୁ ଚରିତ୍ର ମାଧ୍ୟମରେ ଉପସ୍ଥାପନ କଲାବେଳେ ପାରମିତା କୁହନ୍ତି ଯେ ଏ ଚରିତ୍ରସବୁ କେବଳ ଚରିତ୍ର ନୁହନ୍ତି, ସମାଜର ସତ୍ୟ, ଯାହା ସେ ‘ଦରଦୀ ମନର ସମର୍ପଣ ଭାବନା ଓ ଶବ୍ଦମାନଙ୍କ ଉଷ୍ମତାକୁ ନେଇ’ ପରିବେଷଣ କରିନ୍ତି ।
ନାରୀ ମାନସିକତାର ବିଶ୍ଳେଷଣ, ସୂକ୍ଷ୍ମ ଅବବୋଧର ଅନ୍ଵେଷଣ ଏବଂ ଏକ ବଳିଷ୍ଠ କାହାଣୀର ଆଧାର ତାଙ୍କ କାହାଣୀକୁ ଏକ ଭିନ୍ନ ପରିଚୟ ଦେଇଥାଏ । ଜୀବନବାଦୀ କାହାଣୀକାର ସତ୍ତ୍ୱେ ପାରମିତାଙ୍କ କବିତା ଚେତନା ଏବଂ ମାନସିକତାକୁ ବହୁତ ପ୍ରଭାବିତ କରିଥାଏ । ସ୍ଵତନ୍ତ୍ର କଳାତ୍ମକ ଢଙ୍ଗରେ ଗପ କବିତା ଲେଖିବା ସହ ସେ ଅନୁବାଦ କ୍ଷେତ୍ରରେ ମଧ୍ୟ ସାମାଜିକ ଓ ସାଂସ୍କୃତିକ ଦାୟିତ୍ଵ ତୁଲାଇଥାନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖି ସାହିତ୍ୟର ପ୍ରସାର ଓ ପ୍ରଚାର କରିଛନ୍ତି।
