ସାଲେପୁର,୧୮/୦୩/୨୦୨୫(ଓଡିଶା ସମାଚାର/ ଅଭୟ ଜେନା )- ପାଞ୍ଚଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ । ସାଲେପୁର ଏସଡିପିଓ ଙ୍କ ନେତୃତ୍ଵ ରେ ବିଭିନ୍ନ ଥାନା ଅଧିକାରୀ ଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରି ପାଞ୍ଚ ଜଣ ଆନ୍ତଃରାଜ୍ୟ ଡକାୟତ ଙ୍କୁ ଗିରଫ କରାଯିବା ସହ ସୁନା ଅଳଙ୍କାର, ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ୍ କରାଯାଇଛି । ଏ ନେଇ ଆଜି ଅପରାହ୍ନ ରେ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଏରକଣାର ରମେଶ ସାହୁଙ୍କର ସୁନା ଗହଣା ଚୋରୀ ଘଟଣା ସମ୍ପର୍କରେେ ଥାନାରେ ଲିଖିତ ଅଭିଯୋଗ ପରେ ଭଦ୍ରେଶ୍ୱର ଥାନା ରେ କେଶ ନଂ ୪୧ ରେ ୦୭ ମାର୍ଚ ୨୦୨୫ ରେ ଏକ ମାମଲା ରୁଜୁ ହୋଇଥିଲା।
ସାଲେପୁର ଏସଡିପିଓ ଙ୍କ ନେତୃତ୍ବରେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି, ସାଲେପୁର ଥାନା ଆଇଆଇସି, ମାହାଙ୍ଗା ଥାନା ଆଇଆଇସି ଓ ଭଦ୍ରେଶ୍ୱର ଥାନା ଆଇଆଇସି ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେନ୍ଦ୍ରାପଡା ଜିଲ୍ଲାରୁ ୫ ଜଣ ଆନ୍ତଃରାଜ୍ୟ ଡକାୟତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୫୩ ଗ୍ରାମ ସୁନା ୨୧୦ ଗ୍ରାମ ରୁପା ୨ଟି ମୋବାଇଲ ଜବତ କରାଯାଇଥିଲା। ସୁନା ଓ ରୂପା ଅଳଙ୍କାର ଗୁଡିକୁ ମୁଖ୍ୟ ଅଭିଯୁକ୍ତ ବିକାଶ ଦାସଙ୍କ ସହଯୋଗରେ ମୁଥୁଟ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଆଣିଥିବା ବେଳେ ସେ ସବୁ ଅଳଙ୍କାର ଗୁଡିକୁ ବ୍ୟାଙ୍କରୁ ଜବତ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଂଚଳର ବିକାଶ ଦାସ , ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର କୁନା ଦାସ , କେନ୍ଦ୍ରାପଡା ଥାନା ଅଞ୍ଚଳର ଦେବାଶିଷ ସାହୁଙ୍କ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତଙ୍କ ନାମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଅଞ୍ଚଳର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି। ସେମାନେ କେଳା ସମ୍ପ୍ରଦାୟର ହୋଇଥିବା ବେଳେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗ୍ରାମଞ୍ଚଳ ଏସପି ପ୍ରତୀକ ସିଂ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।