ଗରଦପୁର,୧୮/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଜୟତଳଙ୍ଗ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ଦୋଳ ଉତ୍ସବର ଅନ୍ତିମ ଦିବସରେ ସୁନା ବେଶ ହୋଇଛନ୍ତି । ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ଗତକାଲି ସ୍ଥାନୀୟ ଅଂଚଳର ଶେଷ ଦୋଳ ଉତ୍ସବ ଅବସରରେ ପାଇକା ନଦୀରେ ଜମୁନା ସ୍ନାନ କରିସାରିବା ପରେ ସୁନା ବେଶ ହୋଇଥିଲେ ।
ତତ୍ପରେ ଫୁଲ ରେ ସଜା ଯାଇଥିବା ଦୋଳ ବିମାନରେ ଉପବିଷ୍ଟ ହୋଇ ସାନ ନୟନପୁର ଠାରେ ଥିବା ମେଲଣ ପଡ଼ିଆରେ ଚଳିତ ବର୍ଷର ଶେଷ ମେଲଣରେ ସାମିଲ ହୋଇ ସୁନା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ସୁନା ବେଶ ଉପଲକ୍ଷେ ବିମାନକୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ବାଜା, ବାଣ , ଘଂଟ ଆଦି ଥାଟ ପଟୁଆରରେ ମେଲଣ ରୁ ଯାଇ ଜୟତଳଙ୍ଗ ବଣୁଆସାହିରେ ପହଂଚିଥିଲେ ।
ସେଠାରେ ଶ୍ରୀ ଜୀଉଙ୍କୁ ସର ଲବଣୀ ଲାଗି କରାଯାଇଥିଲା । ସେଠାରେ କେତେକ ଘରେ ଭୋଗ ଖାଇବା ପରେ ବାଜା, ବାଣ , ଘଂଟ , ଆଲୋକ ଆଦି ଥାଟ ପଟୁଆରରେ ଶୋଭାଯାତ୍ରାରେ ଦେଉଳକୁ ପ୍ରତ୍ୟାବର୍ତନ କରିଥିଲେ । ଗ୍ରାମ ତଥା ପଡ଼ୋସି ଗ୍ରାମର ଯୁବକମାନେ ଶ୍ରୀ ଜୀଉ ଙ୍କୁ ଦୋଳ ବିମାନରେ ଶ୍ରଦ୍ଧାରେ ଆଗ୍ରହ ର ସହିତ କାନ୍ଧେଇବା ଦେଖାଯାଇଥିଲା । ଦେଉଳରେ ଶ୍ରୀ ଜୀଉ ପହଂଚିବା ବେଳେକୁ ସୁନା ଦେଶ ଦେଖିବା ପାଇଁ ଗ୍ରାମର ମହିଳା ଓ ପୁରୁଷ ମାନେ ଭିଡ଼ ଜମାଇ ଶ୍ରୀ ଜୀଉଙ୍କୁ ସୁନା ବେଶରେ ଦର୍ଶନ କରିଥିଲେ ।
ଏଠାରେ ଉଲେଖଯୋଗ୍ୟ ଯେ ଶ୍ରୀ ଶ୍ରୀ ରାଧାମାଧବ ଜୀଉ ବର୍ଷକରେ ଦୁଇ ଥର ସୁନା ବେଶ ହୋଇଥାନ୍ତି । ପବିତ୍ର କାର୍ତିକ ପୂର୍ଣ୍ଣିମା ଦିନ ବଢ଼ି ଭୋର ସମୟରେ ସୁନା ବେଶ ହୋଇଥାନ୍ତି ଓ ଦୋଳ ଉତ୍ସବର ଅନ୍ତିମ ଦିବସରେ ଯମୁନା ସ୍ନାନ ପରେ ସୁନା ବେଶ ହୋଇଥାନ୍ତି । ସୁନା ବେଶ ସମୟରେ ଶ୍ରୀ ଶ୍ରୀ ରାଧା ମାଧବ ଜୀଉ ସୁନା ମୁକୁଟ ,ସୁନା ବଂଶି ଓ ରୂପା ଛତ୍ରୀ ପରିଧାନ କରନ୍ତି ଓ ମା ଶ୍ରୀ ରାଧା ସୁନା ମୁକୁଟ, ସୁନା ଖଡ଼ୁ ପରିଧାନ କରନ୍ତି ।