ସିଆଇଏସଏଫ୍ ପକ୍ଷରୁ ଉପକୂଳ ସୁରକ୍ଷା ବାର୍ତା ନେଇ ସଚେତନତା
କୋଣାର୍କ,୧୫/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ର ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ୍) ପକ୍ଷରୁ ଭାରତର ଉପକୂଳ ଅଂଚଳକୁ ସୁରକ୍ଷିତ ରଖିବା ପାଇଁ ଉପକୂଳ ଅଂଚଳର ଲୋକମାନଙ୍କୁ ଚୋରା ନିଶାକାରବାର, ଅନୁପ୍ରବେଶକାରୀ, ଚୋରା ଅସ୍ତ୍ର କାରବାର ପରି ଅନେକ ଦେଶଦ୍ରୋହୀ କାର୍ଯ୍ୟ ପାଇଁ ସଚେତନା କରାଇବା ଓ ଦେଶର ସୁରକ୍ଷା ପାଇଁ ଲୋକମାନଙ୍କଠାରୁ ସହଯୋଗ ନିମନ୍ତେ ଭାରତର ଗୁଜୁରାଟ ଓ କୋଲକତାରୁ ଦୁଇଟି ୧୦୦ଜଣ ସିଆଇଏସଏଫ୍ ସାଇକ୍ଲୋଥନ୍ ଦଳକୁ ଭାରତର ଗୃହମନ୍ତ୍ରୀ ଅମିତ ସାହା ମାର୍ଚ୍ଚ ୭ ତାରିଖରେ ପତାକା ଦେଖାଇ ଉଦଘାଟନ କରିଥିଲେ ।

କୋଲକତାରୁ ସିଆଇଏସଏଫ୍ର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ସାଇକ୍ଲୋଥନ୍ ଉପକୂଳ ଅଂଚଳ ଦେଇ ବାହାରି ଓଡ଼ିଶାର ପାରାଦୀପ ଦେଇ ଗୋପ ଦେଇ କୋଣାର୍କ, କୋଣାର୍କରୁ ବେଳାମାର୍ଗ ଦେଇ ପୁରୀ ପହଂଚିବା ପରେ ସେଠୁ ବାହାରି ସାତପଡ଼ା ଦେଇ ଗଞ୍ଜାମ ଗୋପାଳପୁର ଦେଇ ସମୁଦାୟ ୯ଗୋଟି ଉପକୂଳ ରାଜ୍ୟ ଦେଇ ୬୫୫୩କିମି ବୁଲି ଶେଷରେ ଏପ୍ରିଲ ୧ ତାରିଖରେ କନ୍ୟାକୁମାରୀରେ ଏହି ସାଇକ୍ଲୋଥନ୍ ଶେଷ ହେବ । ଗୁରୁବାର ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗର ମୁକ୍ତାକାଶ ରଙ୍ଗମଂଚ ନାଟ୍ୟମଣ୍ଡପଠାରେ ଏହି ୫୦ ଜଣିକିଆ ସାଇକ୍ଲୋଥନ ଦଳ ପହଂଚିଥିଲେ ।
ସେଠାରେ ପୂର୍ବରୁ ଉପସ୍ଥିତ ଥିବା କୋଣାର୍କ ହାଇସ୍କୁଲ, କୋଣାର୍କ ଭଗବତୀ ମହାବିଦ୍ୟାଳୟ, ନୂଆଗାଁ ଆର୍ତତ୍ରାଣ ବିଦ୍ୟାପୀଠର ଶତାଧିକ ଏନସିସି ଛାତ୍ରଛାତ୍ରୀ ଜାତୀୟ ପତାକା ଧରି ପୁଷ୍ପବର୍ଷା କରି ସେମାନଙ୍କୁ ପାଛୋଟି ନେଇଥିଲେ ।

ମୁକ୍ତାକାଶ ନାଟ୍ୟମଣ୍ଡପରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସିଆଇଏସଏଫ ଡିଜି ଏମ୍.ସେକ ଅବ୍ଦୁଲ୍ଲା, ଓଡ଼ିଶା ଷ୍ଟେଟବ୍ୟାଙ୍କର ଜେନେରାଲ ମ୍ୟାନେଜର କୌଶଲ କୁମାର ସିଂ, ଭୁବନେଶ୍ୱର ଏଆର ପୋର୍ଟର ନିର୍ଦ୍ଧେଶକ ପ୍ରସନ୍ନ ପ୍ରଧାନ, ଓଡ଼ିଶାର ପାରା ଅଲମ୍ପିିକ ଗୋଲଡ଼ ମେଡାଲିଷ୍ଟ, ଜାତୀୟ ଧ୍ୟାନଚାନ୍ଦ ଖେଳନରତ୍ନ ପୁରସ୍କାର ପ୍ରାପ୍ତ ପ୍ରମୋଦ ଭଗତ, ଜାତୀୟ ଭଲି ବଲ ଖେଳାଳି ଶ୍ରୀକାନ୍ତ ନାୟକ, ପୁରୀ ଅତିରିକ୍ତ ଉପ ଜିଲାପାଳ ଶରତ କୁମାର ବେହେରା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଉପସ୍ଥିତ ସିଆଇଏସଏଫ୍ ସାଇକ୍ଲେଥନ୍ ରେ ବାହାରିଥିବା ଯବାନ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ସେମାନଙ୍କୁ ଏହି ସାଇକେଲ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ । କୋଣାର୍କରେ ରାତ୍ରିଯାପନ ପରେ ଶୁକ୍ରବାର ସକାଳେ ବେଳାମାର୍ଗ ଦେଇ ପୁରୀ ଅଭିମୁଖେ ବାହାରିଥିଲେ ।
କୋଣାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସିଆଇଏସଏଫ୍ ର ସିନିଅର କମଣ୍ଡାଣ୍ଟ ଆଲୋକ ଯୋଶୀ, ଇନିସପେକ୍ଟର ଦେବାଶିଷ ଶତପଥୀ, ପିକେ ସାହୁ, ଏସଆଇ ପାର୍ଥସାରଥୀ ପାଲ ପ୍ରମୁଖ ପରିଚାଳନା କରିଥିଲେ ।
