ଲୋକଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ କଲେ ସାଂସଦ ଅପରାଜିତା
ଭୁବନେଶ୍ୱର,୦୫/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବହୁ ପ୍ରତୀକ୍ଷିତ ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ ବୁଧବାର ଉଦଘାଟିତ ହୋଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦ୍ଘାଟନ କରିଛନ୍ତି । ଲୋକଙ୍କ ଉଦ୍ଧେଶ୍ୟରେ ସେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି । ଫଳରେ ପଳାଶୁଣୀ ସମେତ ଆଖପାଖ ଅଂଚଳର ବାସିନ୍ଦାଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଗତ କିଛି ବର୍ଷ ଭିତରେ ପଳାଶୁଣୀ ଛକ ଜାତୀୟ ରାଜପଥ ଉପରେ ୨୦୦ରୁ ଅଧିକ ଦୁର୍ଘଟଣା ହୋଇଛି । ଏଥିରେ ଅନେକ ମୃତାହତ ହୋଇଛନ୍ତି । ଏହି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା । ତେବେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏହି ଦାବିକୁ ଗୁରୁତର ସହ ନେଇ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଗତବର୍ଷ ଜୁଲାଇ ମାସ ୧୯ ତାରିଖରେ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ପଳାଶୁଣୀଠାରେ ଫୁଟ୍ ଓଭରବ୍ରିଜ୍ ପାଇଁ ପ୍ରସ୍ତାବ ଦେଇଥିଲେ ।
କେନ୍ଦ୍ରମନ୍ତ୍ରୀ ତକôାଳ ପଦକ୍ଷେପ ନେଇ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ସହ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କାର ଅନୁମୋଦନ ଦେଇଥିଲେ । କିନ୍ତୁ ପୂର୍ବ ବିଜେଡି ସରକାର ସହଯୋଗ ନ କରିବାରୁ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାମ ବିଳମ୍ବିତ ହୋଇଥିଲା । ବିଜେପି ସରକାର ଆସିବା ପରେ ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ ହୋଇଥିଲା ବୋଲି ସାଂସଦ କହିଛନ୍ତି । ଏହି ଫୁଟ୍ ଓଭରବ୍ରିଜ୍ ଦ୍ୱାରା ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ବୃଦ୍ଧ ଓ ବୃଦ୍ଧାଙ୍କଠାରୁ ନେଇ ପଥଚାରୀମାନେ ସୁବିଧାରେ ରାସ୍ତା ପାର୍ ହେବେ ବୋଲି ସେ କହିଛନ୍ତି ।
ଟଙ୍କପାଣି ସାଇ ମନ୍ଦିର ଛକରେ ଭିଡ଼କୁ ଏଡ଼ାଇବାକୁ ଏକ ଓଭରବ୍ରିଜ୍ କରାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ଏଥିପାଇଁ ପ୍ରକ୍ରିୟା ଚାଲିଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ । ସେହିଭଳି ନଖରା ସମ୍ ହସ୍ପିଟାଲ ପାଖରେ ଆଉ ଏକ ଫୁଟ୍ ଓଭରବ୍ରିଜ ହେବ ବୋଲି ସାଂସଦ ସୂଚନା ଦେଇଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏନଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଧେଶକ ସୂରଜ ସିଂ, ଉତର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
