ଜଗତସିଂହପୁର, ୧୬/୧୧/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଅଛି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ମାନ୍ୟବର ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ଯୋଜନା କମିଟି ତଥା ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ମାନ୍ୟବର ସାଂସଦ, ଜଗତସିଂହପୁର ଡା ରାଜଶ୍ରୀ ମଲ୍ଲିକ, ମାନ୍ୟବର ବିଧାୟକ, ପାରାଦ୍ବୀପ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ମାନ୍ୟବର ବିଧାୟକ ତିର୍ତୋଲ ଶ୍ରୀଯୁକ୍ତ ବିଜୟ ଶଙ୍କର ଦାସ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ପାରାଦ୍ବୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା ଏବଂ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି ପ୍ରମୁଖ ଯୋଗଦାନ କରିଥିଲେ ।
ସର୍ବପ୍ରଥମେ ପରଦା ଉପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପରିବେଷଣ କରାଯାଇଥିଲା । ଏହାପରେ ପ୍ରଦୀପ ପ୍ରଜ୍ବଳନ କରି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରାଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକ ସ୍ୱାଗତ ସମ୍ଭାଷଣ ପରିବେଷଣ କରିଥିଲେ ଏବଂ ତତ୍ପରେ ଅନ୍ୟ ଅତିଥିବୃନ୍ଦ ନିଜସ୍ୱ ଅଭିଭାଷଣ ପରିବେଷଣ କରିଥିଲେ । ଏହି ଅବସର ରେ ମଂଚ ଉପରେ କିଛି ସଫଳ ଚାଷୀଙ୍କ କାହାଣୀ ପରଦା ଉପରେ ଦେଖା ଯାଇଥିଲା ଯାହାକି ଅନ୍ୟ ଚାଷୀଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାସହ ପଥପ୍ରଦର୍ଶକ ହୋଇଥିଲା । ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିରିଡି ବ୍ଲକର ମଦନ ମୋହନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ନାଉଗାଁ ବ୍ଳକର ବିଶ୍ୱଜିତ ସ୍ୱାଇଁଙ୍କୁ ଛେଳିପାଳନରେ ଉଲ୍ଲେଖନୀୟ ସଫଳତା ଅର୍ଜନ ପାଇଁ ପୁରସ୍କୃତ କରାଯାଇଥିଲା ।
ସେହିପରି ମତ୍ସ୍ୟ ଚାଷରେ ସଫଳତା ପାଇଥିବା ତାରାତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଜଗତସିଂହପୁର ବ୍ଳକର ରସିକ ରଞ୍ଜନ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମୟରେ ତାରାତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶ୍ରୀମତୀ ତିଳୋତ୍ତମା ମାଝୀ ଏବଂ ଜୟ ମା ଲକ୍ଷ୍ମୀ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ କମଳା ନାୟକ ନିଜର ଅନୁଭବ ସଭିଙ୍କ ସାଙ୍ଗରେ ବାଣ୍ଟିଥିଲେ । ପରିଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ମେଳାରେ ଆୟୋଜିତ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଓ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ସମ୍ପଦର ପ୍ରଦର୍ଶନକୁ ସଭିଏ ବୁଲି ଦେଖିଥିଲେ । ମଧ୍ୟାହ୍ନ ଭୋଜନ ପରେ ଚାଷୀ ଓ ବୈଜ୍ଞାନିକ ମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଇଥିଲା ତଥା ଉନ୍ନତ ଏବଂ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡା ସୁଶାନ୍ତ କୁମାର ଦାଶ, ପ୍ରଫେସର ଡା ଗୁରୁ ପ୍ରସାଦ ମହାନ୍ତି, ଶ୍ରୀ ସୁବ୍ରତ କୁମାର ଦାଶ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ।
ପରିଶେଷରେ ଓଡିଶୀ ନୃତ୍ୟ, ଘୋଡା ନାଚ ଓ ଘଟ ନାଚ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ଓଡିଶୀ ନୃତ୍ୟ, ଘୋଡା ନାଚ ଓ ଘଟ ନାଚ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପରିଚାଳନାରେ ସାହାଯ୍ୟ କରିଥିଲେ ।