ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ନୁହଁ ୟୁନିଟ୍ ପିଛା ଅଧିକ ନେଇଥିବା ୯୦ ପଇସା ଫେରାଇବା ପାଇଁ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ର ଦାବି

ଭୁବନେଶ୍ୱର,୧୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତାକାଲି ଠାରୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆରସି) ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ହେବ କି ନ ହେବ, ସେଥିପାଇଁ ଜନଶୁଣାଣୀ ହେବାର ଅଛି । ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ନୁହଁ, ଗ୍ରାହକଙ୍କଠାରୁ ବିଗତ ବର୍ଷମାନଙ୍କରେ ୟୁନିଟ୍ ପିଛା ୯୦ ପଇସା ଅଧିକ ଶୁଳ୍କ ଆଦାୟ କରିଥିବା ଟଙ୍କାକୁ ଗ୍ରାହକମାନଙ୍କୁ ଫେରସ୍ତ କରିବାକୁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ଦାବି କରିଛି ।

ମହାସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ଓ ଆବାହକ ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, କେନ୍ଦ୍ରୀୟ ଶକ୍ତି ଅର୍ଥ ନିଗମ (ପି.ଏଫ୍.ସି.)ର ୨୦୨୧-୨୨ ରିପୋର୍ଟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୟୁନିଟ୍ ପିଛା ଗ୍ରାହକମାନଙ୍କ ଠାରୁ ୫ଟଙ୍କା ୮ ପଇସା ଆଦାୟ କରାଯାଉଥିଲା ବେଳେ ଓଡ଼ିଶାରେ ବିଦୁ୍ୟତ୍ କମ୍ପାନୀମାନେ ଉପଭୋକ୍ତା ମାନଙ୍କଠାରୁ ୟୁନିଟ୍ ପିଛା ୫ଟଙ୍କା ୯୮ ପଇସା ଆଦାୟ କରିଛନ୍ତି । ଅର୍ଥାତ୍ ଓଡ଼ିଶାର ପାଖାପାଖି ୧ କୋଟି ଗ୍ରାହକ ୟୁନିଟ୍ ପିଛା ୯୦ ପଇସା ଅଧିକ ଶୁଳ୍କ ଦୀର୍ଘଦିନ ଧରି ଦେଇଆସୁଛନ୍ତି ।

କେନ୍ଦ୍ରୀୟ ବିଦୁ୍ୟତ୍ ଆଇନ୍ ମୁତାବକ ସବୁ ରାଜ୍ୟ ସରକାରମାନେ ବିଦୁ୍ୟତ୍ ବିଲ୍ ପୈଠ ପାଇଁ ସବସିଡ୍ ଦେଉଥିଲା ବେଳେ ଓଡ଼ିଶା ସରକାର ତାହାର ବ୍ୟତିକ୍ରମ କରି କୌଣସି ଗୋଟିଏ ଟଙ୍କା ବିଦୁ୍ୟତ୍ ବିଲ୍ ବାବଦକୁ ସବସିଡ୍ ଦେଇନାହାଁନ୍ତି । ଗୋଟିଏ ଦିଗରେ କମ୍ପାନୀମାନେ ୟୁନିଟ୍ ପିଛା ଗ୍ରାହକମାନଙ୍କଠାରୁ ୯୦ ପଇସା ଅଧିକ ଅର୍ଥ ଆଦାୟ କରୁଥିଲା ବେଳେ ଅନ୍ୟ ଦିଗରେ ଓଡ଼ିଶା ସରକାର ଗ୍ରାହକମାନଙ୍କୁ ସବସିଡ୍ ନ ଦେଇ ପ୍ରଚାରିତ କରିଚାଲିଛନ୍ତି । ଏହାକୁ ଓଡ଼ିଶା ଉପଭୋକ୍ତା ମହାସଂଘ ତୀବ୍ର ନିନ୍ଦା କରିବା ସଂଗେସଂଗେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଓ.ଇ.ଆର.ସି. ଯେଉଁ ଜନଶୁଣାଣୀ କରିବାକୁ ଯାଉଛି, ସେହି ଜନଶୁଣାଣୀରେ ବେଆଇନ୍ ଭାବରେ କମ୍ପାନୀମାନେ ଗ୍ରାହକଙ୍କଠାରୁ ଅଧିକ ଶୁଳ୍କ ବାବଦକୁ ଯେଉଁ ଅଧିକ ଅର୍ଥ ଆଦାୟ କରିଛନ୍ତି, ତାହାକୁ ଫେରାଇବା ପାଇଁ ଓ.ଇ.ଆର.ସି କର୍ତୃପକ୍ଷ କମ୍ପାନୀମାନଙ୍କୁ ଏବଂ ରାଜ୍ୟସରକାରଙ୍କୁ ତୁରନ୍ତ ନିର୍ଦ୍ଧେଶ ଦେବାକୁ ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ଦାବି କରିଛନ୍ତି ।

ତାହା ନ କରି ଯଦି୨୦୨୫-୨୬ ଆର୍ଥିକ ବର୍ଷରେ ଓ.ଇ.ଆରସି. କର୍ତୃପକ୍ଷ କମ୍ପାନୀମାନଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରନ୍ତି, ତାହେଲେ ରାଜ୍ୟରେ ଏକ ଦୁର୍ବାର ଜନଆନ୍ଦୋଳନ ଗଢ଼ିଉଠିବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଆଗାମୀ ଆର୍ଥିକ ବର୍ଷରୁ ୟୁନିଟ୍ ପିଛା ୫୪ ପଇସା ବଢ଼େଇବା ପାଇ ଦାବି କରି ଗ୍ରୀଡ୍ କୋ ପକ୍ଷରୁ ଓ.ଇ.ଆର.ସି. ପାଖରେ ଦରଖାସ୍ତ ଦିଆଯାଇଛି । ଆଗାମୀ ୧୯ ତାରିଖ ଦିନ ଗ୍ରୀଡ୍ କୋ ଦରଖାସ୍ତ ଉପରେ ଓ.ଇ.ଆର.ସି.ରେ ଜନଶୁଣାଣୀ ହେବାର ପ୍ରସ୍ତାବ ରହିଛି । କିନ୍ତୁ ଦୁଃଖର କଥା ସମଗ୍ର ଦେଶରେ, ଓଡ଼ିଶାରେ ପ୍ରଥମେ ବିଜୁଳି ସଂସ୍କାର ଆରମ୍ଭ ହୋଇଥିଲା । ରାଜ୍ୟବାସୀଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବାପାଇଁ ଏହି ସଂସ୍କାରରେ ଲକ୍ଷ୍ୟ ରଖାଯାଇଥିଲା ।

କିନ୍ତୁ ଦୁଃଖର କଥା ଘଂଟାଘଂଟା ଧରି ପାୱାର କଟ୍ ଓ ପାୱାର ଟି୍ରପ୍ ହେଉଛି । କମ୍ପାନୀମାନଙ୍କର କ୍ଷୟକ୍ଷତିକୁ ଭରଣା କରିବା ପାଇଁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ଭଳି ଜନବିରୋଧି ପଦକ୍ଷେପ ଗ୍ରହଣ କରାଯାଉଛି । ଯାହା ହେଉଛି ଇତିହାସର ବିଡ଼ମ୍ବନା । ଓଡ଼ିଶା ଭଳି ଏକ ବିଦୁ୍ୟତ୍ ଉପôାଦନକାରୀ ରାଜ୍ୟରେ ଏକ କୋଟିଏରୁ ଅଧିକ ଉପଭୋକ୍ତାମାନେ ବିଜୁଳି କମ୍ପାନୀମାନଙ୍କର ଶୋଷଣ ଓ ଏକଛତ୍ରବାଦର ଶିକାର ହେବାରେ ଲାଗିଛନ୍ତି ଏବଂ ରାଜ୍ୟ ସରକାର କମ୍ପାନୀମାନଙ୍କର ଏହି ଗରାଖ ଶୋଷଣ ପ୍ରତି ଆଖି ବୁଜିଦେଇଛନ୍ତି ବୋଲି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି ।

ତେଣୁ ଚଳିତ ଆର୍ଥିକ ବର୍ଷରେ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ହେଲେ ତାହାର ଉଚିତ୍ ଜବାବ୍ ଜନଆନ୍ଦୋଳନ ଜରିଆରେ ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଆଗାମୀ ୧୮ ତାରିଖ ମଙ୍ଗଳବାର ଦିନ ୧୧ ଘଟିକା ବେଳେ ମହାସଂଘର ରାଜ୍ୟ କାର୍ଯ୍ୟାଳୟ ମଧୁସୂଦନନଗର, ପ୍ଲଟ ନଂ-୭୧ ଠାରେ ବିଭିନ୍ନ ରାଜନୈତିକ ଦଳ ଓ ଗଣସଙ୍ଗଠନ ଗୁଡ଼ିକର ବୈଠକ ବସି ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ କାର୍ଯ୍ୟକ୍ରମ ସ୍ଥିର କରାଯିବ । ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *