ଡବଲ ଇଞ୍ଜିନ ସରକାରରେ ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ- ସିପିଆଇ(ଏମ୍)

ଅସାମାଜିକତତ୍ୱଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡା ଜିଲା
କେନ୍ଦ୍ରାପଡ଼ା, ୧୪/୦୨/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟରେ ସରକାର ବଦଳିଲା ପରେ ଓ ଡବଲ ଇଞ୍ଜିନ୍ ସରକାର ଆସିବା ପରେ କେନ୍ଦ୍ରାପଡା ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସର୍ବତ୍ର ପୋଲିସ ପ୍ରଶାସନ ନିଷ୍କ୍ରିୟ । ଅପରାଧିମାନଙ୍କ ଚରାଭୂଇଁରେ ପରିଣତ ହୋଇଛି ସାରା ଜିଲା । ଜିଲାର ସମସ୍ତ ଅଂଚଳରେ ନିଜକୁ ସରକାରୀ ଦଳର ଲୋକ କହି ଅନେକ ଅସାମାଜିକ ତତ୍ୱ ଆତଙ୍କ ଚଳାଇଛନ୍ତି । କେତେକ ଉଦାହରଣରୁ ଏହା ସ୍ପଷ୍ଟ ଜାଣିହେବ । କିଛିଦିନ ତଳେ କେନ୍ଦ୍ରାପଡାର ଗରାପୁର ଅଂଚଳରେ ଜଣେ ଲୋକକୁ ଅଖାରେ ପୁରାଇ ପିଟି ପିଟି ମାରି ଦିଆଗଲା ।

ଇନ୍ଦୁପୁର ଅଂଚଳରେ ଜଣକୁ ମାରି ଦିଆଗଲା । ପଟ୍ଟାମୁଣ୍ଡାଇ ବଜାରରେ ଦିନ ଦିପହରରେ ଖଣ୍ଡା ଓ ମାରଣାସ୍ତ୍ର ଧରି ସରକାରୀ ଦଳର କେତେକ ଅସାମାଜିକ ଯୁବକ ସହର ସାରା ଆତଙ୍କ ସୃଷ୍ଟି କଲେ । ଏ ପର୍ଯ୍ୟନ୍ତ କୈାଣସି ମାମଲା ରୁଜୁ ହେଲା ନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଡେରାବିଶ ଅଂଚଳରେ ଜନୈକ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲା । ଥାନାରେ ଏଫ୍.ଆଇ.ଆର. ପଡିଥିଲେ ମଧ୍ୟ ପୋଲିସ୍ ହାତବାନ୍ଧି ବସିଛି । ଜିଲା ସାରା ବାଲି ମାଫିଆଙ୍କ ଆତଙ୍କରାଜରେ ନିରୀହ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମହାକାଳପଡା ବ୍ଳକର କଂସାର ପଂଚାୟତରେ ଜଣେ ଯୁବକଙ୍କ ଉପରେ ସରକାରୀ ଦଳ ବୋଲାଉଥିବା ଦଳେ ଅସାମାଜିକ ଯୁବକ ମରଣାନ୍ତକ ଆକ୍ରମଣ କଲେ । ପୋଲିସ ଜାଣିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆସାମୀମାନଙ୍କୁ ଧରିଲା ନାହିଁ । ମାର୍ଶାଘାଇର ପୋଦନା ଗାଁରେ ଦଳୀୟ କାରଣରୁ ଅତ୍ୟାଚାରିତ ଗୋଟିଏ ନିରୀହ ପରିବାର ସୁରକ୍ଷା ପାଇଁ ଜିଲାର ସମସ୍ତ ମୁଖ୍ୟ ପଦାଧିକାରୀରୀଙ୍କୁ ପ୍ରତିଦିନ ଭେଟିବା ପରେବି ଫଳଶୂନ୍ୟ ।

ଏମିତି ଅନେକ ଘଟଣା ଜିଲାରେ ରହିଛି । ସରକାରୀ ଅଧିକାରୀମାନେ ବଦଳି ଭୟରେ ହାତଗୋଡ ଜାକି ବସିଛନ୍ତି । ଯେମିତି ଜଣାପଡୁଛି ଜିଲାର ଆଇନର ଶାସନ ନାହିଁ । ଜିଲା ଅସାମାଜିକମାନଙ୍କ ଚରାଭୂଇଁରେ ପରିଣତ ହୋଇଛି । ଏହାର ପ୍ରତିବାଦରେ ଆଇନର ଶାସନ ଫେରାଇ ଆଣିବା ପାଇଁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଦୃଢ ଦାବି କରିଛି କି, ସଙ୍ଗୀନ ପରିସ୍ଥିତିରୁ ଜିଲାକୁ ରକ୍ଷା କରିବା ପାଇଁ ଓ ସାଧାରଣ ନାଗରିକଙ୍କ ଆସ୍ଥାକୁ ଫେରେଇ ଆଣିବା ପାଇଁ ଜିଲା ପୋଲିସ ଓ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ । ପରନ୍ତୁ ପାର୍ଟି ସାରା ଜିଲାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଜିଲା କମିଟି ଚେତାବନୀ ଦେଇଛି । ଏହି ପ୍ରତିନିଧି ଦଳରେ ଜିଲା ସମ୍ପାଦକ ଗୟାଧର ଧଳ, ଜଗତଜୀବନ ଦାଶ, କାଳିପ୍ରସାଦ ନାୟକ, ନରୋତମ ପାର୍ଥସାରଥୀ, ମାଧବ ଦାସ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *