ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମୀକ୍ଷା

ଯୋଜନାବଦ୍ଧ ଭାବେ ବିକଶିତ ସହର ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଉନ୍ନୟନ କର୍ତ୍ତୃପକ୍ଷଗୁଡିକର କାର୍ଯ୍ୟ ସମ୍ପର୍କରେ  ବିଭାଗୀୟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ସମୀକ୍ଷା କରିଛନ୍ତି । ବିକଶିତ ଓଡିଶା ବିକଶିତ ସହର । ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ବିଡିଏ ଦ୍ୱାରା ଆରମ୍ଭ କରାଯାଇଥିବା ଟିପି ସ୍କିମ୍‍ ଅନ୍ୟ ସହରରେ କାର୍ଯ୍ୟକାରୀ ଲାଗି ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିପିପି ମୋଡରେ ସେମାନଙ୍କ ଅଧିନରେ ଥିବା ସରକାରୀ ଜମିଗୁଡିକର ସଦୁପଯୋଗ କର ନିଜର ଆୟ ବୃଦ୍ଧି କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଖାଲିଥିବା ଟାଉନପ୍ଲାନର ପଦବୀର ଆବଶ୍ୟକତା, ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟଗୁଡିକର କ୍ରିୟାଶୀଳ ଓ ଆବଶ୍ୟକତା ଦୃଷ୍ଟିରୁ ପରିବର୍ତ୍ତନ କରାଯିବା ଉପରେ ମଧ୍ୟ ଆଲୋଚା କରାଯାଇଛି ।

ବୈଠକ ପରେ ମନ୍ତ୍ରୀ ଡାଃ ମହାପାତ୍ର ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି  ଯେ ରାଜ୍ୟର ନିର୍ମାଣ ହେବ ନୂଆ ସହର ପୁରୁଣା ସହରର ହେବ ନବକଳେବର। ଓଡ଼ିଶାରେ ୧୭ ପ୍ରତିଶତ ଟାଉନ୍ ସିପ ରହିଛି ତାହା ୩୦ ପ୍ରତିଶତ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ।

ଆମେ ୨୦୩୬ ରେ ବିକଶିତ ଓଡିଶା ପାଇଁ ଚିନ୍ତା କରୁଛୁ ତେଣୁ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ଏନେଇ ଗୁରୁତ୍ୱ ଦିଆଯାଉଛି । ସବୁ ଡେଭଲପମେଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । କିଛି ଏଜେଣ୍ଡା ଅନୁସାରେ ଟାଉନ୍ସିପ ବଢିଲେ ସହରର ବିକାଶରେ ଓଡ଼ିଶାର ବିକାଶ ହେବ ।  ଯେଉଁଠି ଟାଉନ ପ୍ଲାନର ଅଭାବ ଅଛି ତାହା ପୂରଣ କରାଯିବ । ବିଭିନ୍ନ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଯେଉଁ ଅଞ୍ଚଳରେ ପୁରୁଣା ସହର ରହିଛି ପୁରୁଣା ଘର ବା ଜାଗା ଅଛି ହେଲେ ଲୋକ ରାସ୍ତା କଥା ଭାବି ଘରଟିର କରି ପାରୁନାହାନ୍ତି ସେଥିପାଇଁ ନୂଆ ଆଇନ ଆସିବାକୁ ଯାଉଛି । ଯଦ୍ୱାରା ସହରିକରଣ ସରଳିକାରଣ ହେବ ଓ ପୁରୁଣା ସିଟି ଗୁଡିକରେ ମଧ୍ୟ ଲୋକମାନେ ଘର କରିପାରିବେ । ଟ୍ରାଇ ସିଟି ଡେଭଲପେମଣ୍ଟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି । ଏହା ସହ ବ୍ରହ୍ମପୁରର ବିକାଶ ପାଇଁ ସ୍ବେରେଜ ଓ ଡ୍ରେନେଜ ପାଇଁ ଆଲୋଚନା ହୋଇଛି । ନୂଆ ଟିପି ସ୍କିମରେ ବୃହତ ସମ୍ବଲପୁର ଓ ବୃହତ ରାଉରକେଲା ପାଇଁ ଆଲୋଚନା ହୋଇଛି । ବିଲ୍ଡର ହୁଅନ୍ତୁ କି ସାଧାରଣ ଲୋକ ସରଳ ପ୍ରକ୍ରିୟାରେ ଲୋକମାନେ ନିର୍ଦ୍ଧାରିତ ସମୟରେ ଘର କରିବା କେମିତି ସମ୍ଭବ ହେବ ସେନେଇ ଆଲୋଚନା ହୋଇଛି । ଯେଉଁ ଘର ଗୁଡିକ ପାଇଁ ରେଜିଷ୍ଟ୍ରେସନରେ ବାଧା ଥିଲା ତାହା ମଧ୍ୟ ସମାଧାନ କରାଯାଉଛି । ଏ ହେଉଛି ଲୋକଙ୍କ ସରକାର ତେଣୁ ଲୋକଙ୍କ ପାଇଁ ଯାହା ଯାହା ଆବଶ୍ୟକ ସବୁ କରାଯିବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର ସୂଚନା ଦେଇଛନ୍ତି ।

ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ କରି ବିକଶିତ ଓଡିଶା ୨୦୩୬ କୁ ଆଖିଆଗରେ ରଖି ରାଜ୍ୟରେ ଯେଉଁସବୁ ନୂଆ ସହର ଗଢି ଉଠିବ ସେଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ତାକୁ ଦୃଷ୍ଟିରେ ରଖି ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ପରିସ୍ଥିତି ସହିତ ଖାପ ଖୁଆଇ କାମ କରିବାକୁ କହିଥିଲେ । ଖାରବେଳଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌର ପ୍ରଶାସକ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ ଦେବାଶିଷ ସିଂହ, ସ୍ଵତନ୍ତ୍ର ସଚିବ ସୁଶାନ୍ତ ମିଶ୍ର , ବିଡିଏ, ସିଡିଏ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ପୁରୀ-କୋଣାର୍କ, କଳିଙ୍ଗନଗର, ପାରାଦୀପ୍‍, ତାଳଚେର-ଅନୁଗୁଳ-ନରାଜ ବିକାଶ ସଂସ୍ଥାର ଉପାଧ୍ୟକ୍ଷା ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *