ବିବାହ ନିର୍ବନ୍ଧରୁ ଡାକ୍ତର ଦମ୍ପତ୍ତିଙ୍କ ସେବା ସମର୍ପଣ  ପ୍ରତିବଦ୍ଧତା 

(ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନରେ ସରିଲା ନିର୍ବନ୍ଧ )

ଯାଜପୁର, ୨୭/୦୧/୨୦୨୫ (ଓଡ଼ିଶା ସମାଚାର/ ସୁରେଶ କୁମାର କର): ଜୀବନବ୍ୟାପୀ ରୋଗୀ ସେବା, ସମାଜ ସେବା ପାଇଁ ବିବାହ ନିର୍ବନ୍ଧରୁ ନିଜର ପ୍ରତିବଦ୍ଧତା ପ୍ରତିପାଦନ କରିଛନ୍ତି ଡାକ୍ତର ଅର୍ଚିଂଶୁ ବେଦାନ୍ତ ପରିଡା ଓ ଡାକ୍ତର ମଞ୍ଜୋରୀ ଭଟ୍ଟାଚାର୍ଯ୍ୟ ନାମକ ଦୁଇ ଡାକ୍ତର। ବାପା ଭୁବନେଶ୍ୱର ଏମ୍ସ ଡାକ୍ତରଖାନାର ଅଙ୍କଲୋଜି ବିଭଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ଦିଲ୍ଲୀପ କୁମାର ପରିଡା ଓ ମା ଲିଜ଼ା ପରିଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଖୁବ ନିକଟରେ ବିବାହ  ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଉକ୍ତ ଦୁଇ ଡାକ୍ତର ସେମାନଙ୍କ ବିବାହ ନିର୍ବନ୍ଧକୁ ନିଆରା ଢଙ୍ଗରେ ପାଳନ କରି ସାରା ରାଜ୍ୟରେ ଚର୍ଚ୍ଚାରେ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଥିବା ପ୍ରସିଦ୍ଧ ମହାବିନାୟକ ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ଦୁଇ ଡାକ୍ତରଙ୍କ ବିବାହ ପାଇଁ ନିର୍ବନ୍ଧ ଉତ୍ସବ। ତେବେ ଏଠାରେ ନଥିଲା ବାଜା ବାଣ,ସୁନ୍ଦର ବେଦୀ କିମ୍ବା ଚାକଚକ୍ୟ ସୁନ୍ଦର ସାଜସଜ୍ଜା। ରକ୍ତ ସଂଗ୍ରହ ପାଇଁ  ଭୁବନେଶ୍ୱର ଏମ୍ସ ଓ କୋଉଡ଼କୋଲ ସଚ୍ଚିଦାନନ୍ଦ ମେମୋରିଆଲ ହସ୍ପିଟାଲ ସହଯୋଗରେ  ଭ୍ରାମ୍ୟମାଣ ଆମ୍ବୁଲାନ୍ସ,ରକ୍ତଚାପ, ମଧୁମେହ ପରୀକ୍ଷା ସମେତ ବିଭିନ୍ନ ରୋଗର ନିଦାନ ପାଇଁ ମାଳ ମାଳ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର, ବିଭିନ୍ନ ରୋଗର ଉପଶମ ପାଇଁ ମାଗଣା ଔଷଧ ବିତରଣ, ରକ୍ତ ସଂଗ୍ରହ ପାଇଁ ଡାକ୍ତର ଓ ଟେକସିନିଆନଙ୍କ ସହଯୋଗରେ ସେବା  କାର୍ଯ୍ୟକ୍ରମ ହସି ଉଠିଥିଲା। ଏହି ମହାନ ପୀଠକୁ ପରିଦର୍ଶନ କରିବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତ ଏଭଳି  ଧର୍ମୀୟ ପୀଠରେ ଡାକ୍ତରଖାନାର ପରିବେଶ ଦେଖି ସଂଶୟ ପ୍ରକାଶ କରିଥିଲେ ମଧ୍ୟ ଉକ୍ତ ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ସଂଗ୍ରହ କରି ଏଭଳି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ। ଶାନ୍ତ କମନୀୟ ପରିବେଶରେ ଏଭଳି ଉତ୍ସାର୍ଗୀକୃତ ସେବା  ଆୟୋଜନ ଦେଖି ବହୁ ରକ୍ତଦାତା ନିଜ ତରଫରୁ ଉତ୍ସାହିତ ହୋଇ ଶିବିରରେ ରକ୍ତଦାନ କରଥିଲେ। ଉତ୍ସବ ଶେଷରେ ସମସ୍ତ ଡାକ୍ତର, ସ୍ବେଛାସେବୀ, ଟେକନିସିଆନ, ଶିବିର ପରୋଚଳକ,ବନ୍ଧୁବର୍ଗ ଅନାଥ ଓ ଭିକ୍ଷୁକ ଏକାଠି ହୋଇ ପ୍ରସାଦ ସେବନ କରି ଏଭଳି ନିଆରା କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିଥିଲେ। ଆଜିର ଦୁନିଆରେ ବିବାହ ବନ୍ଧନ ଉତ୍ସବକୁ ପରିବାର ତରଫରୁ ବ୍ୟୟ ବହୁଳ ପଞ୍ଚତାରକା ହୋଟେଲରେ ପାଳନ କରି ବହୁ ଲକ୍ଷ ଟଙ୍କା ବ୍ୟୟ କରୁଥିବାବେଳେ ଡାକ୍ତର ଦମ୍ପତିଙ୍କ ନିର୍ବନ୍ଧ ଉତ୍ସବକୁ  ଏଭଳି ନିଆରା ଢଙ୍ଗରେ ଜନସେବା ପାଇଁ କରିଥିବା  ପ୍ରତିବଦ୍ଧତାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *