ନିମାପଡ଼ା ୧୧/୦୧/୨୦୨୫ (ଓଡ଼ିଶା ସମାଚାର)- ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ୨୯ ତମ ରାଜ୍ୟ ସ୍ତରୀୟ ତାପସ ମେମୋରିଆଲ ନିମାପଡ଼ା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ବିଶ୍ରାମ ଦିବସରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ସାକ୍ଷୀଗୋପାଳ କ୍ରୀକେଟ ଆସୋସିଏସକୁ ୪୯ ରନରେ ହରାଇ ନିମାପଡ଼ା ଆଥଲେଟିକ ବିଜୟୀ ହୋଇଛି। ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚରେ ନିମାପଡ଼ା କ୍ରିକେଟ ଆସୋସିଏସନର ଅଧିନାୟକ ତଥା କ୍ରୀକେଟ ସମ୍ପାଦକ ଅକ୍ଷୟ ବେହେରା ଟସ ଜିତି ବ୍ୟାଟିଂ ନିଷ୍ପତି ନେଇ ୬ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲେ। ରାଜେଶ ମହାନ୍ତି ୬୭ ରନ କରିଥିବା ବେଳେ ସାହାବୁଦ୍ଦିନ ଖାନ ୩୦, ସମ୍ବିତ ପଟ୍ଟନାୟକ ୨୭ ଓ ଅଧିନାୟକ ଅକ୍ଷୟ ବେହେରା ୨୭ ରନ କରିଥିଲେ।ପ୍ରତିପକ୍ଷର ବୋଲର ପ୍ରଶାନ୍ତ ଶତପଥୀ ୨ଟି ଉଇକେଟ ନେଇଥିଲେ। ଦ୍ବିତୀୟ ଇନିଙ୍ଗସରେ ସାକ୍ଷୀଗୋପାଳ କ୍ରୀକେଟ ଆସୋସିଏସନ୍ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ସମସ୍ତ ଉଇକେଟ ହରାଇ ୧୨୩ ରନ କରିଥିଲେ।ପ୍ରତିପକ୍ଷର ବୋଲର ଅନୀଶ ପ୍ରଧାନ ୩ଟି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଶୋକ ସାହୁ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଶେଷରେ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଜୀବନାନନ୍ଦ ମହାପାତ୍ର,ଅଜୟ ମହାନ୍ତି, ନିର୍ମଳ ମିଶ୍ର ଓ ଅଚ୍ୟୁତାନନ୍ଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିବା ରାଜେଶ ମହାନ୍ତିଙ୍କୁ ପୁରସ୍କୃତ କରିଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚରେ ଇଷ୍ଟ କୋଷ୍ଟ ରେଲୱେ ଓ ରାମେଶ୍ବର ସ୍ପୋଟିଙ୍ଗ ପରସ୍ପରକୁ ଭେଟିବେ।
୨୯ ତମ ନିମାପଡ଼ା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ବିଜୟୀ।
