୨ୟ ଜିଲାସ୍ତରୀୟ ଧାନ ସଂଗ୍ରହ ସମିତି ବୈଠକ

କେନ୍ଦ୍ରାପଡ଼ା, ୦୬/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଜିଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ଧାନ ସଂଗ୍ରହ ସମିତିର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁୟାରୀ ୧୦ତାରିଖରୁ ଜିଲାର୧୧୮ ଗୋଟି ପ୍ୟାକ୍କ୍ସର ୧୨୩ ଗୋଟି ମଣ୍ଡି ମାଧ୍ୟମରେ ଧାନକ୍ରୟ କରାଯିବାକୁ ନିଷ୍ପତିଗ୍ରହଣ କରାଯାଇଛି । ମଣ୍ଡିଗୁଡିକର ଭିତିିଭୂମି ଓ ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉପଯୋଗୀ ଯନ୍ତ୍ରପାତି ଗୁଡିକର ବ୍ୟବସ୍ଥା କରାଯାଇଛି । ମଣ୍ଡିଗୁଡିକ ସପ୍ତାହରେ ୩ଦିନ ଧାନ ସଂଗ୍ରହ କରିବେ । ସକାଳ ୮ ଘଟିକା ରୁ ଦିନ ୨ ଘଟିକା ମଧ୍ୟରେ ଧାନ ସଂଗ୍ରହ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ୨୪ ଘଂଟା ରୁ ୭୨ ଘଂଟା ମଧ୍ୟରେ ଟୋକନ ଧାରୀ ଚାଷୀଙ୍କ ଅକାଉନ୍ଟକୁ ସିଧାସଳଖ ଅର୍ଥ ରାଶି ପ୍ରେରଣ କରାଯିବ । ଚଳିତ ବର୍ଷ ୪୪,୦୧୬ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ବୈଧ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ରହିଛି୪୪,୦୦୪ଜଣ ଓ ଧାନ ସଂଗ୍ରହ ପାଇଁ ଆରଏମସି ମାଧ୍ୟମରେ ୫ ଗୋଟି ସଚେତନତା ରଥ ଦ୍ୱାରା ପ୍ରଚାର ପ୍ରସାର କରାଯିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଚଳିତ ବର୍ଷ ପ୍ରଥମ କିସ୍ତିରେ କେନ୍ଦ୍ରାପଡ଼ା ଜିଲାରେ ୫୮,୦୦୯ ମେଟ୍ରିକ ଟନ ଧାନ ଚାଷୀଙ୍କ ଠାରୁ ସଂଗ୍ରହକରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମଣ୍ଡିରେ ଧାନ ସଂଗ୍ରହ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣ କ୍ୱାଲିଟି ଆନାଲାଇଜରଙ୍କୁ ନିଯୁକ୍ତି ଦିଆଯାଇଥିବା ଜିଲାପାଳ ଅବଗତ କରାଇଥିଲେ । ଟୋକାନ ଅନୁସାରେ ଧାନ କିଣିବା, ଟୋକାନର ଧାର୍ଯ୍ୟ ସମୟ ସୀମାର ଅତିରିକ୍ତ ୧୫ ଦିନ ବଳବତର (ଜିଲାପାଳଙ୍କ ପରିସରଭୁକ୍ତ କ୍ଷମତା ) ସମ୍ପର୍କରେ ଅବଗତ କରାଇବା, ସୋସାଇଟି ଫଳକରେ ଟୋକନ ଧାରୀ ପଞ୍ଜୀକୃତ ଚାଷୀଙ୍କ ନାମ ପ୍ରକାଶ କରିବା, ମଣ୍ଡି ଅନୁଯାଇ ଚାଷୀମାନଙ୍କ ନାମ ଫଳକରେ ପ୍ରକାଶ କରିବା, ମିଲର ମାନଙ୍କ ଦ୍ୱାରା ଅଖା ଯୋଗାଇ ଦେବା, ପ୍ରତ୍ୟେକ ମଣ୍ଡିରେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା, ୩୭ ଗୋଟି ମଣ୍ଡିର ନବ ନିର୍ମାଣ କାର୍ଯ୍ୟ, ମଣ୍ଡିରେ ସିସି କ୍ୟାମେରାର ବ୍ୟବସ୍ଥା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ଜିଲା ବେସାମରିକ ଯୋଗାଣ ଅଧିକାରୀ ଅବଗତ କରାଇଥିଲେ ଯେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ନିମନ୍ତେ ଏ ପର୍ଯ୍ୟନ୍ତ ୨୭ ଜଣ ମିଲର ଅଂଶ ଗ୍ରହଣ କରିବା ପାଇଁ ସେମାନଙ୍କର ସହମତି ପତ୍ର ପ୍ରଦାନ କରିବା ସହିତ ଅଧିକ ୩ ଗୋଟି ଉଷୁନା ମିଲ ଓ ୩ ଗୋଟି ଅରୁଆ ମିଲ ନୂତନ ଭାବେ ଅଂଶ ଗ୍ରହଣ କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଲୋକସଭା ସାଂସଦଙ୍କ ପ୍ରତିନିଧି ସଞ୍ଜୟ ରଥ, କେନ୍ଦ୍ରାପଡ଼ାର ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ରାଜନଗର ବିଧାୟକଙ୍କ ପ୍ରତିନିଧି ପ୍ରଦୁ୍ୟମ୍ନ ସାମନ୍ତରାୟ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ବରିଷ୍ଠ ଏଆରସିଏସ ସନ୍ତୋଷ କୁମାର ଦାସ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲାସ୍ତରୀୟ ଅଧିକାରୀ, ସମସ୍ତ ଯୋଗାଣ ନିରୀକ୍ଷକ, ମାପ ଓଜନ ନିରିକ୍ଷକ, ଆରଏମସିର ପଦାଧିକାରୀ, ସୋସାଇଟିର ସମ୍ପାଦକ, ମିଲର, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲାପାଳ ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *