ଧାନ ଖଳାରେ ଲାଗିଲା ନିଆଁ: ୫୦ କ୍ବିଣ୍ଟାଲ ଧାନ ପୋଡ଼ି ପାଉଁଶ

ବସ୍ତା, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-ଚଳିତ ବର୍ଷ ବର୍ଷା ଅନିୟମିତତା ସହିତ ରୋଗପୋକ ଦାଉରୁ ରକ୍ଷା କରି ଚାଷୀ ବହୁ କଷ୍ଟରେ ଧାନ ଚାଷ କରି ଖଳାକୁ ଆଣିଥିଲେ ହେଲେ ବୁଧୁବାର ବସ୍ତା ଥାନା ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରେ ବୁଧୁବାର ବିଳମ୍ବିତ ରାତିରେ ଧାନ ଖଳାରେ ନିଆଁ ଲାଗି ୫୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଦେଖିବାକୁ ମିଳିଛି।ସୂଚନା ଥାଉ କି ଯେ,ଏହି ଗ୍ରାମର ସୁବଳ ଚନ୍ଦ୍ର ବେହେରା ୧୨ ଏକର ଜମିର କଟା ଧାନକୁ ଠ୍ରେସର ସାହାଯ୍ୟରେ ଅମଳ କରି ଧାନଖଳାରେ ଗଚ୍ଛିତ କରି ରଖିଥିଲେ। ତେବେ ପ୍ରଥମେ ଅକଣ୍ଡାରେ ନିଆଁ ଲାଗିଯିବା ପରେ ଗଚ୍ଛିତ ଧାନକୁ ନିଆଁ ସଞ୍ଚାରିତ ହୋଇଥିଲା। ଯାହା ଦ୍ବାରା ଧାନଖଳାରେ ଗଚ୍ଛିତ ଥିବା ପ୍ରାୟ ୨ଶହ କ୍ବିଣ୍ଟାଲ ଧାନରୁ ପାଖାପାଖି ପଚାଶ କ୍ବିଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇ ଥିଲେ। ଗ୍ରାମବାସୀ ପହଞ୍ଚି ଅବଶିଷ୍ଟ ଧାନକୁ ବସ୍ତାରେ ଭର୍ତ୍ତି କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି।ଏଥିରେ ୧ ଲକ୍ଷ ଟଙ୍କାର ଧାନ ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ ଉକ୍ତ ପରିବାରକୁ ଧାନପୋଡ଼ି ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *