ଅଭୁଲା ମନଛୁଆଁ ପୁରୁଣା ଓଡ଼ିଆ ଗୀତରେ ଶ୍ରୋତା ବିଭୋର
ଭୁବନେଶ୍ୱର,୧୯/୧୨/୨୦୨୩ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ଗତକାଲି ଜୟଦେବ ଭବନଠାରେ ପ୍ରଥିତଯଶା ଗୀତିକବି ‘ଜୀତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ’ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବରେଣ୍ୟ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅଶୋକ ତି୍ରପାଠୀ, ସଂସ୍କୃତି ଗବେଷକ ଗୋପାଳ କୃଷ୍ଣ ମହାପାତ୍ର, ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଗୋପାଳ ବେଶ୍ରା, ବମ୍ବେ ଓଡ଼ିଆ ସୋସାଇଟିର ସଭାପତି ବିପୀନ ମିଶ୍ର, ବିଶ୍ୱ ମାନବ ଅଧିକାର ସଂଗଠନର ସଭାପତି ଅଭିନ୍ନ ହୋତା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଇଶାନ୍ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁବାଷ ମଣ୍ଡଳ ଓ ଉପଦେଷ୍ଟା ମାନସ ଦାସ ମଂଚାସୀନ ଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ବର୍ଷିୟାନ୍ କଣ୍ଠଶିଳ୍ପୀ ତାନସେନ୍ ସିଂହ, ବିଶିଷ୍ଟ ସଂଗୀତ ନିର୍ଦ୍ଧେଶକ ପ୍ରଶାନ୍ତ ପାଢୀ, ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଧେଶକ ଅଶୋକ ପତି, ଉଦୀୟମାନ ଗୀତିକାର ତପୁ ନାୟକ, ନାଟ୍ୟ ଅଭିନେତା ତଥା ନିର୍ଦ୍ଧେଶକ ଆଶିଷ ବସା (ବାରିପଦା), ଲୋକନୃତ୍ୟ ଓ ସଂଗୀତ ଗବେଷକ ସାଇବା ସୁଶୀଲ କୁମାର ହାଁସଦା (ରାଇରଙ୍ଗପୁର), ସାରସ୍ୱତ ସାଧକ ଭାରତୀ ଭୂଷଣ ମିଶ୍ର ଓ ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସାଧାରଣ ସମ୍ପାଦକ ବବ୍ରୁ ବାହନ ଭୋଇଙ୍କୁ ‘ଗୀତିକବି’ ‘ଜୀତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ସଂଗଠକ ଅସୀତ ମହାନ୍ତି, ପଶୁ ସମ୍ପଦ ସେବକ ଓ ସଂରକ୍ଷକ ଅମୂଲ୍ୟ ନାୟକ, ସମାଜସେବୀ ମାନସ ଦାସ, ସମାଜସେବୀ ରବୀନ୍ଦ୍ର ପଲାଇ ଓ ସମାଜସେବୀ ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଖୁଂଟିଆ, ଦୀପକ କୁମାର ମହାପାତ୍ର, ବିମଳ କୃଷ୍ଣ ଥମ୍ବ, ସମାଜସେବୀ ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖଙ୍କୁ ପ୍ରୀତି ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡ଼ା କୃତି ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ପରେପରେ ଆରମ୍ଭ ହୋଇଥିଲା ଅଭୁଲା ମନଛୁଆ ଓ ପୁରୁଣା ଓଡ଼ିଆ ଗୀତର ଏକ ନିଆରା ପ୍ରସ୍ତୁତି ଯାହାର ନାମକରଣ ଥିଲା ‘ଚୁପିଚୁପି ଗୋରି କାନେ କହିଯାଏ ମହୁରୀ’ ପ୍ରଥମେ ଅଭିମାନ ଚଳଚ୍ଚିତ୍ରର ‘କାହିଁଗଲେ ବନ୍ଧୁରେ ରାଧାରାଣୀ ଝୁରି ମରେ’ ପ୍ରସ୍ତୁତ କରିଥିଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବୈଷ୍ଣବ କୈଳାସ । ତା’ପରେ ନବଜନ୍ମ ଚଳଚ୍ଚିତ୍ରର ସେହି କାଳଜୟୀ ଗୀତ ‘ଏଇ ଲଗନେ ମୋ ମନ ବୁଝେନା’ ନେଇ ଆସିଥିଲେ କଣ୍ଠଶିଳ୍ପୀ ଶୀତଲ କୁନ୍ ମୁନ୍ । ପରେପରେ ଗହଳିଆ ଆମ୍ବତୋଟା ତଳେ, ରାଜା ଝିଅ ସେଙ୍ଗ କରିଥିଲି ଭାବ, ଚୁପି ଚୁପି ଗୋରି କାନେ କହିଯାଏ ମହୁରୀ, ଝୁମକା ଟିକେ ତୁ ତ ହଲେଇ ଦେ, ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା, ଫୁଲେଇ ରାଣୀ ସଜ ଫୁଲ ଗୁଲୁଗୁଲିଆ, କାହା ପାଦ ଶବଦରେ, କହନା ଏ ଫୁଲ କହନା, ଜୀବନ ଜମୁନାରେ ଜୁଆର ଉଠେରେ ଭଳି ବହୁ ପୁରୁଣା ମନଛୁଆ ଓଡ଼ିଆ ଗୀତ କଣ୍ଠଶିଳ୍ପୀମାନେ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଦେଇଥିଲେ । କଣ୍ଠଶିଳ୍ପୀ ତାନସେନ୍ ସିଂ, ବୈଷ୍ଣବ କୈଳାସ, ଶକ୍ତି ମିଶ୍ର, ସୁବାସ ରାମ, ବ୍ରଜବନ୍ଧୁ ନାୟକ, ଶୀତଳ କୁନମୁନ୍, ସୁଶ୍ରୀ ସଂଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ବରଦା ପଟ୍ଟନାୟକ, ଜଗନ୍ନାଥ ଦାଶ, ସୁଧାଂଶୁ ଜେନା, କୁନୁ, ଦିପୁ, ଏମ୍. କିରନକୁମାର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ରଞ୍ଜନ ନନ୍ଦ ସଂଯୋଜନା କରିଥିବା ବେଳେ ସୌରଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ପରିକ୍ରମା ପକ୍ଷରୁ ଗୀତିକବି ଜୀତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ
