କେନ୍ଦ୍ରାପଡ଼ା, ୨୫/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସମତା ସୈନିକ ଦଳ ଓଡିଶା ଶାଖାର ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ସମର୍ଥକ ଓ କର୍ମୀ କେନ୍ଦ୍ରାପଡା ସହରସ୍ଥ ଆମ୍ବେଦକରଙ୍କ ପ୍ରତିମୂର୍ତି ସମ୍ମୁଖରେ ଗୃହମନ୍ତ୍ରୀଙ୍କ ଅଶାଳୀନ ବକ୍ତବ୍ୟର ପ୍ରତିବାଦ ପ୍ରଦର୍ଶନ କରି କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତୀୟମାନଙ୍କୁ ଏକ ଶକ୍ତ ସମାନତାଭିତିକ ମୂଲ୍ୟବାନ୍ ସମ୍ବିଧାନ ପ୍ରଦାନ କରିଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଗୃହମନ୍ତ୍ରୀ ଶାହାଙ୍କ ଅସମ୍ମାନ ଭାରତୀୟମାନଙ୍କ ପାଇଁ ଅସମ୍ମାନ । ଏପରି ଏକ ଅବା‚ିତ ବ୍ୟକ୍ତି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଉଚିତ୍ ନୁହେଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସମତା ସୈନିକ ଦଳ ଦାବି କରିଛି । ଏହି ଦାବିକୁ ନେଇ ଏକ ଦାବିପତ୍ର ରାଷ୍ଟ୍ରପତି ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦଳର ରାଜ୍ୟ ସଭାପତି ଶ୍ରୀ ମଲ୍ଲିକ, ରାଜ୍ୟ ସମ୍ପାଦକ ଗୟାଧର ଦାସ, କେନ୍ଦ୍ରାପଡା ନଗର ସଭାପତି ଅପୂର୍ବ ସେଠୀ, ମହିଳା ସଭାପତି ମମତାମୟୀ ମଲ୍ଲିକ, ମନୋଜ ମଲ୍ଲିକ, ସୁରତ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ପ୍ରଶାନ୍ତ ମହାପାତ୍ର, ଉତମ ମଲ୍ଲିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
