କେନ୍ଦ୍ରାପଡାରେ ୫-ଟି ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଆଜି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତିକେୟନ ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଜିଲା ପ୍ରତି ଥିବା ଭଲପାଇବା ଓ ସ୍ୱପ୍ନ ସମ୍ପର୍କରେ ବକ୍ତବ୍ୟ ରଖି କହିଥିଲେ ଯେ ମୁଁ କେନ୍ଦ୍ରାପଡା ଜିଲାର ଜ୍ୱାଇଁ ହିସାବରେ ମୁଖ୍ୟମନ୍ତ୍ରୀ ମୋତେ କେନ୍ଦ୍ରାପଡା ପଠାଇଛନ୍ତି । ସେଠାରେ ଉପସ୍ଥିତ ଥିବା ହଜାର ହଜାର ମହିଳା ଓ ପୁରୁଷ ହୁଳହୂଳି ଓ କରତାଳି ଦ୍ୱାରା ଶ୍ରୀ ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସର୍ବଦା କେନ୍ଦ୍ରାପଡା ଜିଲାର ବିକାଶ ପାଇଁ ସ୍ୱପ୍ନ ଦେଖନ୍ତି ଓ ଚିନ୍ତା କରନ୍ତି । ସେଥିପାଇଁ ଆମେ ସମସ୍ତେ ସହଯୋଗ କରିିବା ବୋଲି ସେ କହିଥିଲେ । ଏଥିସହ ଓଡିଶାର ରୂପାନ୍ତରଣ ଓ ଜିଲାର ବିକାଶ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିଶ୍ୱର ସର୍ବ ବୃହତ ଇଷ୍ପା କାରାଖାନା ଆର୍ସେଲ ମିତଲ କମ୍ପାନୀ ପକ୍ଷରୁ ଜିଲାର ମହାକାଳପଡାରେ ହେବାକୁ ଯାଉଛି । ସେଥିରେ ୨୦ହଜାର ଯୁବକ/ ଯୁବତୀ କର୍ମସଂସ୍ଥାନ ପାଇବା ସହ ରାଜ୍ୟର ଆଥିର୍କ ବିକାଶ ଘଟାଇବ । ଏଥିସହ ଜିଲାର ରୂପାନ୍ତର କାର୍ଯ୍ୟକ୍ରମର ଉଦାହରଣ ଦେଇ ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ସମେତ ବିଭିନ୍ନ ମଠ ମନ୍ଦିର ଓ ମସଜିଦ ଗୁଡିକର କାୟା ପରିବର୍ତନ ଓ ଭକ୍ତମାନଙ୍କର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆର୍ଥôକ ଅନୁଦାନ ଦେଇ ଏଗୁଡିକର ଉନ୍ନତି ବିଧାନ କରିଛନ୍ତି ସେଗୁଡିକର ନାମ ପ୍ରକାଶ କରିଥିଲେ । ଶ୍ରୀବଳଦେବଜୀଉ ମନ୍ଦିର ଓ ମନ୍ଦିର ପରିସରର ଉନ୍ନତି ବିଧାନ ପାଇଁ ଯାହା ଆବଶ୍ୟକ ସେସବୁ କରିବା ପାଇଁ ଆର୍ଥିକ ଅନୁଦାନର ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମଂଚରେ ଶ୍ରୀ ପାଣ୍ଡିଆନଙ୍କୁ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ ପ୍ରମୁଖ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିବା ବେଳେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସଭାସ୍ଥଳରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଇଂ ମୂରଲୀଧର ସେଠୀ, ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ହିରଣ୍ୟ କୁମାର ପଣ୍ଡା,ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, କାଉନସିଲର କାଳି ପ୍ରସାଦ ମିଶ୍ର, ପ୍ରଦୀପ୍ତ ମହାନ୍ତି, ନିର୍ମଳା ମହାନ୍ତି, ଲିଲିତା ଦାସ, ରଶ୍ମୀରଞ୍ଜନ ରାଉତ, ଦୁର୍ଗାଶିଷ ମହାନ୍ତି, ମହମ୍ମଦ ସେକ ଇନାୟତ(ଚନ୍ଦନ), ସେକ ମତୁ, ଯଯାତିକେଶରୀ ମହାନ୍ତିଙ୍କ ସମେତ ବହୁ ଆଗ ଧାଡିର କର୍ମୀ ଉପସ୍ଥିତ ଥିଲେ । ଶ୍ରୀ ପାଣ୍ଡିଆନଙ୍କ ଦିନିକିଆ କେନ୍ଦ୍ରାପଡା ଜିଲା ଗସ୍ତ ରାଜନଗର ନିର୍ବାଚନ ମଣ୍ଡଳୀର କେରଡାଗଡରୁ ଆରମ୍ଭ ହୋଇ କେନ୍ଦ୍ରାପଡାର ଇଛାପୁର ଠାରେ ଶେଷ ହୋଇଛି । ରାଜନଗରରୁ ଶ୍ରୀ ପାଣ୍ଡିଆନ ଆସି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଗୁଆ ଛକରେ ପହଂଚିବା ପରେ ସେଠାରେ ଶହ ଶହ ବିଜେଡି ନେତା ଓ କର୍ମୀ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ସହ କେନ୍ଦ୍ରାପଡା ସହରକୁ ପାଛୋଟି ଆଣିଥିଲେ । ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ପହଂଚିବା ପରେ ସେଠାରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ସହରର ମୁଖ୍ୟ ରାସ୍ତା ଦେଇ ଇଛାପୁରସ୍ଥିତ ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡକୁ ପାଛୋଟି ଆଣିଥିଲେ । ସେଠାରେ ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀଜୀଉଙ୍କ ମନ୍ଦିର ପରିସରକୁ ଯାଇ ଶ୍ରୀଜୀଉଙ୍କ ସାନ୍ଧ୍ୟ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶ୍ରିର୍ବାଦ ଭିକ୍ଷା କରି ବେଢା ପରିକ୍ରମା କରିଥିଲେ । ସେଠାରେ ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ଓ ସେବକସଂଘ ପକ୍ଷରୁ ନବୀନ ଓଡିଶା ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇ ଶ୍ରୀଜୀଉଙ୍କ ଆଜ୍ଞାମାଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା । ଶ୍ରୀ ପାଣ୍ଡିଆନ ସଭାକୁ ଯିବା ସମୟରେ ଶହ ଶହ ବ୍ୟକ୍ତି ଦୁଇକଡରେ ଛିଡା ହୋଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଦାବିପତ୍ର ପ୍ରଦାନ କରିଥିଲେ । ସଭା ମଂଚରେ ଗ୍ରହଣ କରାଯାଇଥିବା ବିଭିନ୍ନ ଦାବିପତ୍ରକୁ ଯାଂଚ କରାଯାଇ ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *