୮୯ ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୯/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୮୯ ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ୍ ଆର୍ ଆୟାର ସମସ୍ତ ଅତିଥି, ଅଧ୍ୟକ୍ଷବୃନ୍ଦ ତଥା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କୁ ସମ୍ବୋଧନ କରିଥିଲେ । ଭାରପ୍ରାପ୍ତ ଅଧିକାରୀମାନେ ବିଦ୍ୟାଳୟ ପରିଚାଳନା ସହ ଏହାର ନେତୃତ୍ବ ନେବାରେ ସୁଯୋଗ ପାଇବେ ବୋଲି ଏହି ଅବସରରେ ସେ ମତବ୍ୟକ୍ତ କରିଛନ୍ତି । ଏହି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଭାରପ୍ରାପ୍ତ ଅଧିକାରୀମାନେ ବିଦ୍ୟାଳୟ ପରିଚାଳନା ନିମିତ୍ତ ବିଭିନ୍ନ ବିଷୟବସ୍ତୁ ଯଥା-  ପରୀକ୍ଷା ପରିଚାଳନା ପଦ୍ଧତି , ଶୈଖିକ ସମୀକ୍ଷା , ଆର୍ଥିକ ପରିଚାଳନା , ଇ- ଆଡ଼ମିସନ  ସମ୍ବନ୍ଧୀୟ ଜ୍ଞାନ , ଅତିଥି ଶିକ୍ଷକ ନିଯୁକ୍ତି ତଥା UDISE , APPAR ID & SMDC ପରିଚାଳନା ଇତ୍ୟାଦି ବିଷୟରେ ଜାଣିବାର  ସୁଯୋଗ ପାଇବେ ବୋଲି ଶ୍ରୀ ଆୟାର ମତପ୍ରକାଶ କରିଛନ୍ତି ।

ଏହି ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ କହିଛନ୍ତି, ପ୍ରଥମ କରି ଉନ୍ନୀତ ହୋଇଥିବା ଏହି ୮୯ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ଏକ ନୂତନ ଶିକ୍ଷା ପରିବେଶରେ ପ୍ରବେଶ କରୁଛନ୍ତି । ଏହି ୮୯ ଟି ଉନ୍ନୀତ ବିଦ୍ୟାଳୟ ଗୁଡିକର ଉତ୍ତମ ପରିଚାଳନା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆହ୍ୱାନ ଏଣୁ ଏହି କର୍ମଶାଳା ସେମାନଙ୍କ ପାଇଁ ଏକ ଉତ୍ତମ ପଦକ୍ଷେପ । ଏହି କର୍ମଶାଳାରୁ ଅଧ୍ୟକ୍ଷମାନେ ନିଜ ନିଜ ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି  ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ଼. ବିଶ୍ୱଜିତ ଘୋଷ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଉଚ୍ଚ ବିଦ୍ୟାଳୟ ଗୁଡିକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବା ଓଡ଼ିଶା ସରକାରଙ୍କର ଏକ ଐତିହାସିକ ପଦକ୍ଷେପ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ମଲିକ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ସେମାନଙ୍କର ନୂତନ ଭୂମିକା ବିଷୟରେ ଅବଗତ କରିଥିଲେ । ଉଦଘାଟନୀ ଉତ୍ସବ ପରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ଅଧ୍ୟକ୍ଷମାନଙ୍କୁ ବିଦ୍ୟାଳୟ ପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରାଯାଇଥିଲା  । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପରିଡ଼ା  ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ବାବଦରେ ସବିଶେଷ ଜ୍ଞାନ ପ୍ରଦାନ କରିଥିଲେ । ପରିଶେଷରେ  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *