୫ଟି ସାମାଜିକ ବ୍ୟାଧି ବିରୁଦ୍ଧ ରେ ବର୍ଷ ତମାମ କାର୍ୟ୍ୟକ୍ରମ ଘୋଷଣା
ସରକାରୀ ସ୍ତରରେ ପାଳନ ନହେବାରୁ ବିଭିନ୍ନ ମହଲରେ କ୍ଷୋଭ
ଭୁବନେଶ୍ୱର,୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତବର୍ଷର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ ଓ ସଙ୍ଗଠିକା ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ସମାରୋହର ଶୁଭାରମ୍ଭ କରଯାଇଛି। ବର୍ଷତମାମ ସାରା ରାଜ୍ୟରେ ଓ ରାଷ୍ଟ୍ରୀୟ ସ୍ତରରେ ମା’ ରମାଦେବୀଙ୍କ ଏହି ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ଘୋଷଣା ହୋଇଛି। ଗାନ୍ଧୀବାଦୀ ଗଣ ସଙ୍ଗଠନ ସମୁହ ପକ୍ଷରୁ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରର ଲୋହିଆ ଏକାଡେମୀ ଠାରେ ଆୟୋଜିତ ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ତଥା ମା’ ରମାଦେବୀ ୧୨୫ କମିଟିର ଅଧ୍ୟକ୍ଷା କୃଷ୍ଣା ମହାନ୍ତି ସଭାପତିତ୍ୱ କରିଥିଲେ। ବହୁ ଗାନ୍ଧୀବାଦୀ, ସର୍ବୋଦୟ କର୍ମୀ, ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ, ସାମ୍ବାଦିକ ଓ ଜନ ଆନ୍ଦୋଳନର ସଙ୍ଗଠକ ମାନେ ସମ୍ମିଳିତ ହୋଇ କାର୍ୟ୍ୟକ୍ରମର ଘୋଷଣା କରିଥିଲେ। ବର୍ଷତମାମ ୫ଟି ସାମାଜିକ ବ୍ୟାଧି ଭାବରେ ନିଶା, ଅଶୀଳତା, ହିଂସା, ବିଦ୍ୱେଷ ଓ ମିଥ୍ୟା ବିରୁଦ୍ଧରେ ଜାଗରଣ ସୃଷ୍ଟି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହିଳାମାନେ ଏହାର ନେତୃତ୍ୱକୁ ନେଇ ଆଗକୁ ବଢିବାକୁ ଆହ୍ୱାନ ଦିଆଯାଇଥିଲା। ଗାନ୍ଧୀ ଗଣ ସଙ୍ଗଠନ ସମୁହର ଆବାହକ ଡଃ ବିଶ୍ଵଜିତ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ବକ୍ତା ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର, ଡ଼. ହିରଣ୍ୟମୟୀ ମିଶ୍ର, କବି ଶୈଳଜ ରବି, ଦେବପ୍ରସାଦ ରାୟ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡ଼. ବାସନ୍ତୀ ମହାନ୍ତି, ଶ୍ରୀମତୀ ଗାୟତ୍ରୀ ଦାସ ଯୋଗଦେଇ ଥିଲେ। ପ୍ରାରମ୍ଭରେ ମା’ ରମାଦେବୀଙ୍କ କନ୍ୟା ଭାବେ ଜଣାଶୁଣା ଗୋଦାବରୀ ଦେବୀଙ୍କ ଝିଅ ଯଶୋଧାରା ଦାସ, କିରଣଲେଖା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା ଓ ସରସ୍ୱତୀ ଦେବୀଙ୍କ ପୁଅ ବିଜୟ କୁମାର ତ୍ରିପାଠୀ ଅଭିଭାଷଣ ରଖି ମା’ ରମାଦେବୀଙ୍କ ସହିତ ତାଙ୍କ ପରିବାରର ସମ୍ପର୍କର ଅବତାରଣା କରିଥିଲେ। ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଅତିଥିମାନେ ସମାରୋହରେ ମା’ ରମାଦେବୀଙ୍କ ସାମଗ୍ରିକ ତ୍ୟାଗପୂତ ଜୀବନର ଉଲ୍ଲେଖ କରିବା ସହିତ ତାଙ୍କର ସମଗ୍ର ପରିବାର ଦେଶ ପାଇଁ ସମର୍ପିତ ଥିଲେ ତାହା ଉଲ୍ଲେଖ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ଭାବରେ ମା’ ରମାଦେବୀ ଏକ ଧନୀକ ଵଂଶରେ ଜନ୍ମଗ୍ରହଣ କରି ବଢିଥିଲେ ମଧ୍ୟ ଦେଶ ପାଇଁ ସବୁ କିଛି ତ୍ୟାଗ କରି ଜଣେ ସାଧାରଣ ମହିଳା ଭାବରେ ଜୀବନ ଅତିବାହିତ କରିଥିଲେ। ମା’ ରମାଦେବୀଙ୍କ ବାପା ଗୋପାଳ ବଲ୍ଲଭ ଦାସ ସେତେବେଳେ ଡେପୁଟି କଲେକ୍ଟର ଥିଲେ। ରମାଦେବୀଙ୍କ ସ୍ୱାମୀ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ମଧ୍ୟ ଡେପୁଟି କଲେକ୍ଟର ଥିଲେ। ବିଶିଷ୍ଟ ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ବଡ଼ବୋହୁ ଭାବରେ ରମାଦେବୀ ଚୌଧୁରୀ ପରିବାରକୁ ଆସିଲା ପରେ ସ୍ୱାମୀଙ୍କ ପ୍ରେରଣାରେ ଗାନ୍ଧୀଜୀଙ୍କ ଆଦର୍ଶରେ ଦେଶ ପାଇଁ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିଥିଲେ। ସେହି ତ୍ୟାଗ ଓ ଆଦର୍ଶର ପଟ୍ଟାନ୍ତର ନାହିଁ ବୋଲି ଅତିଥିମାନେ କହିଥିଲେ।
ମା’ ରମାଦେବୀଙ୍କ ଦେହାନ୍ତ ସମୟରେ ୧୯୮୫ ମସିହା ଜୁଲାଇ ୨୨ ତାରିଖରେ ତତ୍କାଳୀନ ସରକାର ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ କରାଇଥିଲେ। ସେ ବିଧାନସଭାର ସଦସ୍ୟ ନଥାଇ ମଧ୍ୟ ସେତେବେଳେ ବିଧାନସଭାରେ ତାଙ୍କ ପାଇଁ ଶୋକ ପ୍ରସ୍ତାବ ଗ୍ରହଣ କରଯାଇଥିଲା। କିନ୍ତୁ ଏବେ ତାଙ୍କର ୧୨୫ତମ ଜୟନ୍ତୀ ସମାରୋହକୁ ସରକାର ପାଳନ କରିନଥିବାରୁ କ୍ଷୋଭ ପ୍ରକଟ କରିଥିଲେ। ମା’ ରମାଦେବୀଙ୍କ ଭଳି ଓଡ଼ିଶାର ବରପୁତ୍ରୀଙ୍କ ଜନ୍ମ ଜୟନ୍ତୀକୁ ଯଦି ପାଳନ କରଯାଇପାରୁ ନାହିଁ ତାହା ହେଲେ ଏ ଜାତି ଅକୃତଜ୍ଞ ହୋଇଯିବ ବୋଲି ମତ ରଖିଥିଲେ।
ଏହି ଅବସରରେ ମା’ ରମାଦେବୀଙ୍କ କର୍ମଭୂମି ଜଗତସିଂହପୁର ଅଳକାଶ୍ରମ ଉପରେ ଲିଖିତ ଏକ ପୁସ୍ତକ କ୍ରାନ୍ତି ପୀଠ ଅଳକାଶ୍ରମ ଲୋକାର୍ପିତ ହୋଇଥିଲା। ମହେନ୍ଦ୍ର କୁମାର ଆଚାର୍ୟ୍ୟଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକକୁ ଜଗତସିଂହପୁର ଚାନ୍ଦପୁରର ଚନ୍ଦ୍ରଶେଖର କଲଚରାଲ ସୋସାଇଟି ପ୍ରକାଶ କରିଛି। ଏହି ଅବସରରେ ମଧ୍ୟ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ସମାରୋହର ଲୋଗୋକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସାମାଜିକ ବ୍ୟାଧି ଭାବରେ ନିଶା, ଅଶୀଳତା, ହିଂସା, ବିଦ୍ଵେଷ ଓ ମିଥ୍ୟା ବିରୁଦ୍ଧରେ ବର୍ଷବ୍ୟାପୀ କାର୍ୟ୍ୟକ୍ରମ କରାଯିବ ବୋଲି ଘୋଷଣା ହୋଇଥିଲା। କ୍ରାନ୍ତି ପୀଠ ଅଳକାଶ୍ରମର ଗ୍ରନ୍ଥକାର ମହେନ୍ଦ୍ର କୁମାର ଆଚାର୍ୟ୍ୟ, ପ୍ରକାଶକ ହେମନ୍ତ ରଥ, କଟକ ଇନର ହ୍ବିଲ କ୍ଳବର ଅଧ୍ୟକ୍ଷା ମଧୁମିତା ମହାନ୍ତି ଓ ଅନୁଗୁଳ ବାଜିରାଉତ ଛାତ୍ରାବାସର କାର୍ୟ୍ୟକାରୀ ସଭାପତି ଅନ୍ତର୍ୟ୍ୟାମୀ ବରାଳ ପ୍ରମୁଖ ଉଦବୋଧନ ରଖିଥିଲା ବେଳେ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ, ଶିବ ନାରାୟଣ ମିଶ୍ର, ଶରତ ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ଶୁକ୍ଳ, ଉତ୍କଳ ରଞ୍ଜନ ମହାନ୍ତି, ବିଜୟ ଉପାଧ୍ୟାୟ, ପ୍ରତିମା ପଣ୍ଡା, କବିତା ଦାସ, ଗୀତା ପଟ୍ଟନାୟକ, ପ୍ରସନ୍ନ ମହାପାତ୍ର, ଶିଵବ୍ରତ ଦାସ, କିରଣଵାଳା ଦାଶ, ଗୋପୀନାଥ ନାୟକ, ପ୍ରମେଶ କୁମାର ମହାନ୍ତି, ସୈକଲା ବାନୁ, ରବୟା ବେଗମ, ଆଦ୍ୟଶ୍ଳୋକ ମିଶ୍ର, ପ୍ରଦ୍ୟୁମ୍ନ ନାଏକ, ଚନ୍ଦନ ପଣ୍ଡା, ସଂଘମିତ୍ରା ଜେନା, ରଣଜିତ ଦେହୁରୀ, ଗୌରାଙ୍ଗ ପାଣିଗ୍ରାହୀ, ନିକୁଞ୍ଜ ଭୁତିଆ, ବ୍ରଜ କିଶୋର ପ୍ରଧାନ, ଅଭୟ ବଡ଼ଜେନା, ଗିରିଜା ଶଙ୍କର ମହାପାତ୍ର, ପ୍ରଦୀପ୍ତ କିଶୋର ଚୌଧୁରୀ, ବିଜୟ ବାବୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।