ଭୁବନେଶ୍ୱର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଜି ମଙ୍ଗଳବାର ଠାରୁ ୧୭ତମ ବିଧାନସଗାର ୨ୟ ଅଧିବେଶନ ଆରମ୍ଭ ହେବ । ଆଜି ନଭେମ୍ବର ୨୬ ତାରିଖ ଠାରୁ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଚାଲିବାକୁ ଥିବାବେଳେ ୧ମ ଦିବସରେ ଅର୍ଥାତ୍ ଆଜି ଅଥି ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧ମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ।
ଆଜି ବୈଠକ ଆରମ୍ଭ ହେବା ପରେ ୬ ଜଣ ଦିବଂଗତ ବିଧାୟକଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ ହେବ । ଏହା ପରେ ଜିଏସଟି ବିଧେୟକ ୨୦୨୪ ରେ ହୋଇଥିବା ସଂଶୋଧନକୁ ଆଗତ କରାଯିବ । ପରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିବା ବିଭିନ୍ନ ବିଲ ଉପସ୍ଥାପନ କରାଯିବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ମୋଟ୍ ୩୦ ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ଡ଼ିସେମ୍ବର ୫ ତାରିଖରେ ଅତିରିକ୍ତ ବଜେଟ୍ ପାରିତ ହେବ । 
ବିଧାନସଭା ଯେପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ଗତକାଲି ସର୍ବ ଦଳିୟ ବୈଠକ ଡ଼ାକି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଠାରୁ ଓଡ଼ିଶା ବିଧାନସଭା ର ଶୀତ ଅଧିବେଶନ
