ରାଜଭବନରେ ଜନଜାତୀୟ ଗୌରବ ଦିବସ ଏବଂ ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ପାଳିତ ।

ସ୍ୱାଧୀନତା ସଂଗ୍ରାମରେ ଅଦମ୍ୟ ସାହସ ଏବଂ ଜନଜାତି ସମ୍ପ୍ରଦାୟକର ଅଧିକାର ସୁରକ୍ଷା ଦିଗରେ ବିର୍ସା ମୁଣ୍ଡାଙ୍କର ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ – ରାଜ୍ୟପାଳ:
ଭୁବନେଶ୍ୱର,୧୬/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ଏବଂ ଝାଡ଼ଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ରାଜଭବନଠାରେ ଏକ ଉତ୍ସବ ମୁଖରିତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସ ଆଜି ନୁ୍ୟଅଭିଷେକ ହଲ ଠାରେ ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉଦବୋଧନ ଛଳରେ କହିଥିଲେ ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ଆଧ୍ୟାତ୍ମିକ ନେତା, ସମାଜ ସଂସ୍କାରକ ବିର୍ସା ମୁଣ୍ଡାଙ୍କର ସ୍ୱାଧୀନତା ସଂଗ୍ରାମରେ ଅଦମ୍ୟ ସାହସ ପ୍ରଦର୍ଶନ ଏବଂ ଜନଜାତି ସଂମ୍ପ୍ରଦାୟର ଅଧିକାର ସୁରକ୍ଷା ଦିଗରେ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ଧରତୀ ଆବା ଭାବରେ ଜଣାଶୁଣା ଭଗବାନ ବିର୍ସା ମୁଣ୍ଡା ଲୋକଙ୍କର କଲ୍ୟାଣ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉତ୍ସର୍ଗ କରିଥିଲେ । ଅତ୍ୟାଚାର ବିରୁଦ୍ଧରେ ପ୍ରତିରୋଧ ଏବଂ ଜନଜାତି ସଂପ୍ରଦାୟର ସଂସ୍କୃତି, ସ୍ୱାଭିମାନ ଏବଂ ସମ୍ମାନ ରକ୍ଷା ପାଇଁ ତାଙ୍କର ପ୍ରତିବଦ୍ଧତା ଓ ସଂଗ୍ରାମ ତାଙ୍କୁ ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପ୍ରତିଷ୍ଠିତ କରିଛି ବୋଲି ରାଜ୍ୟପାଳ କହିଥିଲେ । ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସଂପର୍କରେ ସ୍ମୃତିଚାରଣ କରି ରାଜ୍ୟପାଳ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମଦିନରେ ୨୦୦୦ମସିହା ନଭେମ୍ବର ୧୫ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟ ପ୍ରତିଷ୍ଠା ହୋଇଥିଲା ଏବଂ ଝାଡ଼ଖଣ୍ଡର ବିକାଶ ଯାତ୍ରା ଉତ୍ସାହ ଜନକ । ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ରାଜ୍ୟ ସାମାଜିକ ଓ ସାଂସ୍କୃତିକ ମଧୁର ଓ ନିବିଡ଼ ବୋଲି କହିବା ସହିତ ରାଜ୍ୟ ସ୍ଥାପନା ଦିବସ ବିବିଧତାରେ ଏକତା ଓ ଏକ ଭାରତ ଶ୍ରେଷ୍ଠ ଭାରତକୁ ଅଧିକ ଶକ୍ତିଶାଳୀ କରାଇବ ବୋଲି କହିଥିଲେ । ଆଜିର ଦିବସରେ ଓଡ଼ିଶାକୁ ନିଜ ଘର କରିସାରିଥିବା ଝାଡ଼ଖଣ୍ଡର ପୁଅଝିଅମାନଙ୍କ ସହିତ ଝାଡ଼ଖଣ୍ଡର ଆତ୍ମା ଏବଂ ଐତିହ୍ୟ ପାଳନ କରିବା ତାଙ୍କ ପାଇଁ ଗୌରବର ଦିବସ ବୋଲି ରାଜ୍ୟପାଳ କହିଥିଲେ । ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ତଥା ସେବାରତ ପଦାଧିକାରୀଙ୍କର ପ୍ରତିବଦ୍ଧତା ଏବଂ ସଫଳତା ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ସମୃଦ୍ଧ କରୁଛି । ବନ୍ଧୁତା ଓ ଭାଇଚାରା ମାଧ୍ୟମରେ ପାରସ୍ପରିକ ସମ୍ମାନ ଓ ଭାଇଚାରାକୁ ମଜବୁତ୍ କରୁଛି । ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଭାରତର ଅର୍ଥନୈତିକ ଏବଂ ସାଂସ୍କୃତିକ ଦୃଶ୍ୟପଟ୍ଟରେ ବିଶେଷ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ କହିବା ସହିତ ଦେଶ ପାଇଁ ଏକ ସମୃଦ୍ଧ ତଥା ଗୌରବମୟ ଭବିଷ୍ୟତ ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଝାଡ଼ଖଣ୍ଡ ସ୍ଥାପନା ଦିବସର ବାର୍ତା ପ୍ରଦର୍ଶିତ ହୋଇଥିଲା । ରାଜ୍ୟପାଳଙ୍କ ମୁଖ୍ୟପରାମର୍ଶ ଦାତା ସନ୍ତୋଷ କୁମାର ଶତପଥି ଏହି ସମାରୋହରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଝାଡ଼ଖଣ୍ଡ ନିବାସୀ ସେମାନଙ୍କର ଓଡ଼ିଶାରେ ଅବସ୍ଥାନ ସମୟର ଅଭିଜ୍ଞତା ଓ ଉପଲବ୍ଧି ତଥା ନିଜ ରାଜ୍ୟ ସଂପର୍କରେ ଅଭିବ୍ୟକ୍ତ ରଖିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କର ଜୀବନୀ ସଂପର୍କୀତ ଏକ ପ୍ରାମାଣିକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
-୦-

ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *