ସୁକିନ୍ଦା ଠାରେ ଜନଜାତୀୟ ଗୌରବ ଦିବସ ପାଳିତ।

ଯାଜପୁର, ୧୫ /୧୧/୨୦୨୪ (ଓଡ଼ିଶା ସମାଚାର)-ଆଜି ସୁକିନ୍ଦା ଠାରେ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ୧୫ ନଭେମ୍ବର ୨୦୨୪ ଦିବସକୁ ଜନ ଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି।ଏହି ଅବସରରେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ଵାରା ଦେଶର ସମସ୍ତ ଅନୁସୂଚିତ ଜନଜାତି ବହୁଳ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ମାନ ଆୟୋଜନ କରାଯାଇଛି। ସ୍ଵତନ୍ତ୍ର ଗ୍ରାମ ସଭା ବୈଠକରେ ପେସା, ଜଙ୍ଗଲ ଅଧିକାର ଆଇନ ପଞ୍ଚାୟତ ବିକାଶ ସୂଚୀ ଆଦି ବିଷୟରେ ଜନ ସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରାଯିବ। ଏହି ଅବସରରେ ଓଡ଼ିଶାର ସମବାୟ ,ବୟନଶିଳ୍ପ, ହସ୍ତଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ସହିଦ ବିର୍ସା ମୁଣ୍ଡା ଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ । ସ୍ୱାଧୀନତା ସଂଗ୍ରାମରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ସଂଗ୍ରାମର ବିରତ୍ଵ କାହାଣୀ ସମ୍ପର୍କରେ ମନ୍ତ୍ରୀ ଅବଗତ କରାଇଥିଲେ। ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା କଲ୍ୟାଣ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ୧୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ପି.ଏମ.ଜନ ମନ ଯୋଜନାରେ ୧୦ ଜଣଙ୍କୁ ଆଧାର କାର୍ଡ ବଣ୍ଟନ କରିଥିଲେ।ଧରତୀ ଆବା ଜନଜାତୀୟଗ୍ରାମ ଉତ୍କର୍ଷ ଯୋଜନାରେ ଓଡ଼ିଶାରେ ୨୭ ଟି ଜିଲ୍ଲାର ୭୬୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଉତ୍ସବରେ ବନ୍ଧଗାଁ ଆଶ୍ରମ ସ୍କୁଲ୍ ର ଛାତ୍ର ଛାତ୍ରୀ ଆମ ଘର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ଶିବିର, ଆଧାର କ୍ୟାମ୍ପ, କୃଷି, ପ୍ରାଣୀ ସଂପଦ, ପେନସନ, ରାସନ୍ କାର୍ଡ, ମିଶନ ଆଶ୍ରାର ବାଉଁଶ କାରୁକାର୍ଯ୍ୟ, ଆଦିବାସୀ ମହିଳା ସ୍ଵୟଂ ସହାୟକ ଦଳଙ୍କ ଦ୍ଵାରା ପ୍ରସ୍ତୁତ ବଢ଼ି, ଆଚାର, ଅନ୍ୟାନ୍ୟ ସାମଗ୍ରୀ ଭଳି ୧୧ ଟି ପ୍ରଦର୍ଶନୀ ଷ୍ଟଲ୍ ଖୋଲା ଯାଇଥିଲା। ସୁକିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଭିଷେକ ସ୍ବାଇଁ, ତହସିଲଦାର ଶ୍ରୀ ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *